କାଲି ଶପଥ ନେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ: ବିଜେପି ବିଧାୟକ ଦଳ ଭାବେ ନିର୍ବାଚିତ ହୋଇଥିବା ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତାକାଲି ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆଜି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାତିରେ ଶ୍ରୀ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ।

ହେଲେ ଏବେ ଏହି ଶପଥପାଠ କାର୍ଯ୍ୟକ୍ରମକୁ ରବିବାରକୁ ଘୁଞ୍ଚାଇ ଦିଆଯାଇଛି। ଡେରାଡୁନକୁ ବିଜେପିର କେନ୍ଦ୍ର ପର୍ଯ୍ୟବେକ୍ଷକ ସାଜି ଯାଇଥିବା ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆଜିର ବିଧାୟକ ଦଳ ବୈଠକ ବେଳେ ପୁଷ୍କର ସିଂହ ଧାମିଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି। ଆମେ ରାଜ୍ୟପାଳଙ୍କୁ ଭେଟି ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବୁ। ତେଣୁ ଆସନ୍ତାକାଲି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ତୀରଥ ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି ୪୫ ବର୍ଷୀୟ ପୁଷ୍କରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ସେ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବାକୁ ଯାଉଛନ୍ତି। ୨ ଥର ବିଧାୟକ ହୋଇଥିଲେ ହେଁ ସେ କେବେ ହେଲେ ମନ୍ତ୍ରୀ ହୋଇ ନଥିଲେ। ଏବେ ସେ ଏକାଥରକେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

୧୯୭୫ ମସିହା ସେପ୍ଟେମ୍ବର ୧୬ରେ ଉତ୍ତରାଖଣ୍ଡର ପିଥୋରଗଡ଼ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଧାମି ଖାତିମା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାନସଭାକୁ ଯାଇଛନ୍ତି। ସେ ଆରଏସଏସ୍‌ର ସଦସ୍ୟ। ଏଥିସହ ବିଜେପି ଯୁଗ ମୋର୍ଚ୍ଚାର ଉତ୍ତରାଖଣ୍ଡ ମୁଖ୍ୟ ଭାବେ କାମ କରି ସାରିଛନ୍ତି। ୨୦୦୨ରେ ସେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶିୟାରୀଙ୍କ ଓଏସ୍‌ଡି ଭାବେ କାର୍ଯ୍ୟ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।