ଦେଶ ବାହାରକୁ ଚାଲାଣ ହେଉଥିଲା କୁମ୍ଭୀର, ଅଜଗର ସମେତ ୧୪୦ ବନ୍ୟ ପଶୁ ଏବଂ ପକ୍ଷୀ

ଗୌହାଟୀ: ମିଜୋରାମ ଦେଇ ଚୋରା ଚାଲାଣ ହୋଇଥିବା ବହୁ ସଂଖ୍ୟକ ବିରଳ ବନ୍ୟ ପଶୁ ଓ ପକ୍ଷୀ ଉଦ୍ଧାର। ଶନିବାର ମିଆଁମାର ସୀମାବର୍ତ୍ତୀ ମିଜୋରାମର ଚମ୍ପାଇ ଜିଲ୍ଲାରେ ମିଳିତ ଅପରେସନ ବେଳେ ପୁଲିସ, ଏକ୍ସାଇଜ୍ ଏବଂ ନାର୍କୋଟିକ୍ସ ବିଭାଗର କର୍ମଚାରୀମାନେ ମୋଟ ୧୪୦ଟି ବିରଳ ବନ୍ୟ ପଶୁ ଏବଂ ପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ବନ୍ୟ ପଶୁ ଏବଂ ପକ୍ଷୀମାନଙ୍କ ମଧ୍ୟରେ ୩୦ ଟି କଇଁଛ, ଦୁଇଟି ମାଙ୍କଡ, ଦୁଇଟି ମାରମୋସେଟ ମାଙ୍କଡ଼, ୨୨ ଟି ଅଜଗର, ୧୮ଟି ସୁମାତ୍ରାନ୍ ପାଣି ଗୋଧି, ୫୫ କୁମ୍ଭୀର ଛୁଆ, ୪ଟି ଫ୍ଲେମ୍ ବୱାର ପକ୍ଷୀ, ୪ଟି ସର୍ଭେଲ୍ ବିଲେଇ ଏବଂ ଗୋଟିଏ କଙ୍ଗାରୁ ଅନ୍ତର୍ଭୁକ୍ତ। ଏହି ପ୍ରାଣୀଗୁଡିକ ଦୁଇଟି ବୋଲେରୋ ଏବଂ ଗୋଟିଏ ସ୍କର୍ପିଓରୁ ମିଆଁମାରରୁ ଚୋରା ଚାଲାଣ କରାଯାଉ ବେଳେ ବନ କର୍ମଚାରୀମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ଏଗୁଡ଼ିକ ଦେଶ ବାହାରକୁ ଚୋରାଚାଲାଣ କରାଯାଉଥିଲା।

ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ପଶୁ ଓ ପକ୍ଷୀମାନଙ୍କୁ ଚମ୍ପାଇ କଷ୍ଟମ ପ୍ରିଭେଣ୍ଟିଭ୍ ଫୋର୍ସର ଅଧୀକ୍ଷକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ସୂଚନା ଥାଉକି, ଗତ ସେପ୍ଟେମ୍ବରରେ ମିଆଁମାରରୁ ମିଜୋରାମ ଦେଇ ଚୋରା ଚାଲାଣ କରାଯାଉଥିବା ୪୧ ବିରଳ ବନ୍ୟ ପଶୁ ଓ ପକ୍ଷୀଙ୍କୁ ୨ଟି ଗାଡ଼ିରୁ ଉଦ୍ଧାର କରାଯାଇଥିଲା। ଆସାମର କାମ୍ରୁପ ଜିଲ୍ଲାରରୁ ଏହି ପଶୁ ଓ ପକ୍ଷୀଙ୍କୁ ଉଦ୍ଧାର କରାଯାଇଥିଲା।

ତେବେ ବନ୍ୟ ପ୍ରାଣୀ ଚୋରା ଚାଲାଣକୁ ରୋକିବା ଏବେ ଉତ୍ତର-ପୂର୍ବରେ ପୁଲିସ ବାହିନୀ ଓ ବନ ବିଭାଗ ନିକଟରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।