ରେଜଲ୍ଟ ବାହାରିବା ପୂର୍ବରୁ ଖାଡଗେ ଜିତିବେ ବୋଲି କେମିତି ଜାଣିଲେ ରାହୁଲ ଗାନ୍ଧି

କୁର୍ଣ୍ଣନୁଲ: ଦୀର୍ଘ ଦୁଇ ଦଶନ୍ଧି ପରେ କଂଗ୍ରେସକୁ ମିଳିଛି ଅଣ ଗାନ୍ଧି ବସ୍‌। ଭେଟରାନ ରାଜନେତା ମଲ୍ଲିକାର୍ଜୁନ ଖାଡଗେ କଂଗ୍ରେସ ସଭାପତି ନିର୍ବାଚନରେ ବାଜିମାତ କରିଛନ୍ତି। ଦିନ ୨ ଟା ପରେ ବିଧିବଦ୍ଧ ଭାବେ ଖାଡଗେ ଦଳୀୟ ନେତା ଶଶି ଥରୁରଙ୍କୁ ପରାସ୍ତ କରି କଂଗ୍ରେସ କମାଣ ଧରିଥିବା ଘୋଷଣା କରାଯାଇଥିଲା। ହେଲେ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ହିଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେମିତି ଖାଡଗେ ଜିତିବେ ବୋଲି ଜାଣିଲେ, ତା’କୁ ନେଇ ପ୍ରଶ୍ନ ଉଠିଛି।

ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଭାରତ ଯୋଡ଼ୋ ପଦଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧିଙ୍କୁ ସାମ୍ବାଦିକମାନେ ଦଳ ଭିତରେ ତାଙ୍କର ଭୂମିକା କ’ଣ ରହିବ ବୋଲି ପ୍ରଶ୍ନ କରିଥିଲେ। ଏହି ସମୟରେ ସେ କଂଗ୍ରେସ ସଭାପତି ଖାଡଗେଙ୍କୁ ଏ ବିଷୟରେ ପଚାରିବାକୁ କହିଥିଲେ। ରାହୁଲ ଖାଡଗେଙ୍କୁ ସଭାପତି କହିବା ସମୟରେ କଂଗ୍ରେସର ନିର୍ବାଚନ ଅଧିକାରୀ ରେଜଲ୍ଟ ଘୋଷଣା କରି ନଥିଲେ।

ପ୍ରାୟ ଦିନ ୧.୩୦ରେ ରାହୁଲ ଏକଥା କହିଥିବା ବେଳେ ଦିନ ୨ଟା ପରେ ରେଜଲ୍ଟ ପ୍ରକାଶ ପାଇଥିଲା। ତେଣୁ ନିର୍ବାଚନ ରେଜଲ୍ଟ ବିଧିବଦ୍ଧ ଭାବେ ଘୋଷଣା ହେବା ପୂର୍ବରୁ ଖାଡଗେ ଜିତିବାକୁ ଯାଉଥିବା ରାହୁଲ ଭଲ ଭାବେ ଜାଣିଥିଲେ ବୋଲି ସ୍ପଷ୍ଟ ହୋଇଛି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟିଂ ହୋଇଥିଲା। ଏହି ସମୟରେ ୮୦ ବର୍ଷୀୟ ଖାଡଗେ ହିଁ ନିର୍ବାଚନ ଜିତିବେ ବୋଲି ଚର୍ଚ୍ଚା ହେଉଥିଲା। ଗାନ୍ଧି ପରିବାର ଖାଡଗେଙ୍କ ସମର୍ଥନରେ ଥିବାରୁ ସେ ଜିତିବା ଏକ ପ୍ରକାରର ନିଶ୍ଚିତ ଥିଲା। ତଥାପି ଗାନ୍ଧି ପରିବାର ନିର୍ବାଚନରେ ହସ୍ତକ୍ଷେପ କରୁ ନଥିବା କହି ଚାଲିଥିଲେ। ହେଲେ ଆଜି ରାହୁଲ ଗାନ୍ଧି ରେଜଲ୍ଟ ପୂର୍ବରୁ ଖାଡେଗଙ୍କୁ ସଭାପତି ଭାବେ ଘୋଷଣା କରିବା ସବୁ ସନ୍ଦେହକୁ ଦୂର କରିଛି।

ରାହୁଲ ଗାନ୍ଧି ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ କହିଥିଲେ ଯେ “ମୁଁ କଂଗ୍ରେସ ସଭାପତିଙ୍କ ପଦକ୍ଷେପ କ’ଣ ରହିବ, ସେକଥା କହି ପାରିବି ନାହିଁ। ଏହା ଉପରେ ଖାଡଗେ ଭଲ କହିପାରିବେ। ଦଳରେ ମୋ ଭୂମିକା କ’ଣ ରହିବ, ତା’ର ନିଷ୍ପତ୍ତି ଦଳର ସଭାପତି ନେବେ। ମୋତେ ଯାହା ଦାୟିତ୍ୱ ମିଳିବ, ସେଇଆ କରିବି। ଏ ସମ୍ପର୍କରେ ଆପଣମାନେ ଖାଡଗେ ଓ ସୋନିଆ ଗାନ୍ଧିଙ୍କୁ ପଚାରନ୍ତୁ।

କଂଗ୍ରେସ ଦଳରେ ସର୍ବୋଚ୍ଚ ଅଧିକାରୀ ହେଉଛନ୍ତି ଦଳର ସଭାପତି। ଏବେ ଆମ ପାଖରେ ନୂଆ ସଭାପତି ଅଛନ୍ତି। ସଭାପତି ହିଁ ଦଳ କେମିତି ଆଗକୁ ଯିବ, ତା’ର ବିଚାର କରିବେ।”

ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ନିର୍ବାଚନରେ ଖାଡଗେଙ୍କୁ ୭ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ଶଶି ଥରୁରଙ୍କୁ କେବଳ ୧୦୭୨ ଖଣ୍ଡ ଭୋଟ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।