ଦ୍ୱିତୀୟ ଦିନରେ ୧୦ ଘଣ୍ଟା ଜେରା ହେଲେ ରାହୁଲ, କାଲି ପୁଣି ହାଜର ହେବାକୁ ନୋଟିସ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁଇ ଦିନ ଭିତରେ ତାଙ୍କୁ ପ୍ରାୟ ୧୯ ଘଣ୍ଟା ଧରି ଜେରା କରି ସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତଥାପି ରାହୁଲଙ୍କୁ ମିଳିନି କୌଣସି ଆଶ୍ୱସ୍ତି। ଆସନ୍ତାକାଲି ତାଙ୍କୁ ଆଉ ଥରେ ଜେରା କରାଯିବ। ଏଥିପାଇଁ ଇଡି ତାଙ୍କୁ ନୋଟିସ କରିଛି।

ଆଜି ଦିନ ପ୍ରାୟ ୧୧ଟା ୫ରେ ରାହୁଲ ଗାନ୍ଧି ଦଳୀୟ କର୍ମୀଙ୍କୁ ଭେଟିବା ପରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରାଯାଇଥିଲା। ଜେରା ପରେ ତାଙ୍କୁ ଲଞ୍ଚ ବ୍ରେକରେ ପ୍ରାୟ ୧ ଘଣ୍ଟା ପାଇଁ ପଠା ଯାଇଥିଲେ। ସେଠାରୁ ଫେରିବା ପରେ ରାହୁଲଙ୍କୁ ପୁଣି ପ୍ରାୟ ୭ ଘଣ୍ଟା ଧରି ଇଡିର ୩ ଜଣ ଅଧିକାରୀ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିଥିଲେ।

ଇଡି ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରସ୍ତୁତ କରିଥିବା ସମସ୍ତ ପ୍ରଶ୍ନକୁ ଆଜି ହିଁ ଶେଷ କରିବାକୁ ରାହୁଲ ଜେରା ବେଳେ କହିଥିଲେ। ଯେତେ ବିଳମ୍ବ ହେଲେ ମଧ୍ୟ ଆଜି ସେ ଇଡି ଅଫିସରେ ରହିବାକୁ ପ୍ରସ୍ତୁତ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ। କିନ୍ତୁ ଇଡି ଅଧିକାରୀମାନେ କିଛି ବି ଶୁଣି ନଥିଲେ। ବାକି ଥିବା ପ୍ରଶ୍ନ କାଲି ପଚାରିଯିବ ଓ ବୁଧବାର ରାହୁଲଙ୍କୁ ପୁଣି ହାଜର ହେବାକୁ ଇଡି ଅଧିକାରୀମାନେ କହିଥିଲେ।

ସୋମବାର ରାହୁଲଙ୍କୁ ମଧ୍ୟ ୯ ଘଣ୍ଟା ଧରି ଜେରା କରାଯାଇଥିଲା। ୧୯ ଘଣ୍ଟା ଧରି ରାହୁଲ ଜେରାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଇଡି ତାଙ୍କ ପାଇଁ ପ୍ରସ୍ତୁତ କରିଥିବା ପ୍ରଶ୍ନ ଶେଷ ହୋଇନାହିଁ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କ ଜେରାକୁ ବିରୋଧ କରି ସୋମବାର ଭଳି ମଙ୍ଗଳବାର ମଧ୍ୟ କଂଗ୍ରେସ କର୍ମୀମାନେ ଦିଲ୍ଲୀରେ ସତ୍ୟାଗ୍ରହ କରିଛନ୍ତି। ଏହି ସମୟରେ ଦିଲ୍ଲୀ ପୁଲିସ୍‌ କଂଗ୍ରେସର ଅନେକ ବରିଷ୍ଠ ନେତା ଓ କର୍ମୀଙ୍କୁ ବଳପୂର୍ବକ ଉଠାଇ ନେଇ ଅଟକ ରଖିଛି। ଅଟକ ରହିଥିବା ନେତାମାନଙ୍କୁ ଆଜି ପ୍ରିୟଙ୍କା ଗାନ୍ଧି ଭଦ୍ରା ଭେଟିଛନ୍ତି। ଦିଲ୍ଲୀ ପୁଲିସ୍‌ ସତ୍ୟାଗ୍ରହ ବେଳେ କଂଗ୍ରେସର ମହିଳା କର୍ମୀଙ୍କୁ ବି ଠେଲାପେଲା କରିଥିବା ଭିଡିଓ ସାମ୍ନାକୁ ଆସିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।