ପ୍ରତିରକ୍ଷା କମିଟିର ବୈଠକରୁ ଉଠି ଆସିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସଂସଦର ପ୍ରତିରକ୍ଷା ପ୍ୟାନେଲ ବୈଠକରେ ଅଭାବନୀୟ ଘଟଣା ଘଟିଛି। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ପ୍ରସଙ୍ଗରେ ମତ ରଖିବାକୁ ଅନୁମତି ନ ମିଳିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଅଧାରୁ ବୈଠକ ଛାଡ଼ି ଚାଲି ଆସିଥିବା ଜଣାପଡ଼ିଛି। ଆଜି ୩ଟାରେ ଏହି ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି ଓ ତାଙ୍କ ସଂସଦୀୟ ସହଯୋଗୀମାନେ ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା […]

Rahul-Gandhi

Rahul-Gandhi

Hemant Lenka
  • Published: Wednesday, 14 July 2021
  • Updated: 14 July 2021, 09:24 PM IST

ନୂଆଦିଲ୍ଲୀ: ସଂସଦର ପ୍ରତିରକ୍ଷା ପ୍ୟାନେଲ ବୈଠକରେ ଅଭାବନୀୟ ଘଟଣା ଘଟିଛି। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ପ୍ରସଙ୍ଗରେ ମତ ରଖିବାକୁ ଅନୁମତି ନ ମିଳିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଅଧାରୁ ବୈଠକ ଛାଡ଼ି ଚାଲି ଆସିଥିବା ଜଣାପଡ଼ିଛି।

ଆଜି ୩ଟାରେ ଏହି ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି ଓ ତାଙ୍କ ସଂସଦୀୟ ସହଯୋଗୀମାନେ ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ହେଲେ ସେମାନଙ୍କର ଏହି ଅନୁରୋଧକୁ ପ୍ୟାନେଲର ଅଧ୍ୟକ୍ଷ ଜୁଏଲ ଓରାମ ଗ୍ରହଣ କରି ନଥିଲେ।

ପୂର୍ବରୁ ବୈଠକର ଏଜେଣ୍ଡାରେ ଏହା ନଥିବାରୁ ଶ୍ରୀ ଓରାମକୁ ଏହାକୁ ଆଲୋଚନା ପରିସର ଭୁକ୍ତ କରି ନଥିଲେ। ବୈଠକ ଏଜେଣ୍ଡା ଅନୁଯାୟୀ, କେବଳ କ୍ୟାଣ୍ଟନମେଣ୍ଟ ବୋର୍ଡର କାର୍ଯ୍ୟ ଉପରେ ଆଲୋଚନା ହେବାର ଥିଲା। କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ହେଲେ ସଦସ୍ୟମାନଙ୍କୁ ୧୪ ଦିନ ପୂର୍ବରୁ ନୋଟିସ ଦେବାକୁ ପଡ଼ିଥାଏ। କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ନୋଟିସ ଦେଇ ନଥିବାରୁ ଜୁଏଲ ଓରାମ ଆଜି ଏହା ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ।

ଏଥିରେ ବିରକ୍ତ ପ୍ରକାଶ କରି ପ୍ରଥମେ ରାହୁଲ ଗାନ୍ଧି ବୈଠକରୁ ଉଠି ଆସିଥିଲେ। ଏହାପରେ ତାଙ୍କ ସହଯୋଗୀ ସାଂସଦମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ରଣନୀତି ଚୂଡ଼ାନ୍ତ କରିବାକୁ ବୈଠକ ବସିଥିଲା। ସଂସଦର ଉଭୟ ସଦନରେ ଚାଇନା ସହ ଚାଲିଥିବା ସୀମା ବିବାଦ କଥା କଂଗ୍ରେସ ଉଠାଇବ ବୋଲି ନିଷ୍ପତ୍ତି ନେଇଛି।

ସେହିପରି ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଅନ୍ୟ ସହଯୋଗୀ ଦଳଗୁଡ଼ିକ ସହ ଯୋଗାଯୋଗ କରି ପ୍ରସଙ୍ଗ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ତୈଳଦର ବୃଦ୍ଧି, ମୁଦ୍ରାସ୍ଫୀତି, ଟିକାର ଅଭାବ, ବେକାରୀ ଓ ରାଫେଲ ଡିଲ ବିବାଦ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛି।

ଏହାବାଦ ଚାଇନା ସହ ସୀମା ବିବାଦ କଥା ମଧ୍ୟ କଂଗ୍ରେସ ଗୃହରେ ଉଠାଇବ। ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟ ପୂର୍ବ ଲଦାଖର ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ କଂଗ୍ରେସ କାଠଗଡ଼ାରେ ଛିଡ଼ା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos