ବିଜେପି ସହ ସମ୍ପର୍କ ତୁଟାଇଲେ ଆଉ ଜଣେ ବେଙ୍ଗଲ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ପୁଣିଥରେ ଝଟକା ଲାଗିଛି। ପୂର୍ବରୁ ଏକାଧିକ ବିଜେପି ବିଧାୟକ ଦଳ ଛାଡ଼ି ଟିଏମସିରେ ମିଶିଥିବା ବେଳେ ଏବେ ରାଇଗଞ୍ଜ ବିଧାୟକ ସମାନ ପଦକ୍ଷେପ ନେବାର ସଙ୍କେତ ଦେଇଛନ୍ତି। ଅବଶ୍ୟ ସେ ଟିଏମସିରେ ମିଶି ନାହାନ୍ତି, କିନ୍ତୁ ବିଜେପି ସହ ସେ ସମ୍ପର୍କଚ୍ଛିନ୍ନ କରିଛନ୍ତି। ଏହାର ଅର୍ଥ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଇଗଞ୍ଜର ବିଜେପି ବିଧାୟକ କ୍ରିଷ୍ଣା କଲ୍ୟାଣୀ ଶୁକ୍ରବାର ଏପରି ଘୋଷଣା କରିବା ପରେ ହଇଚଇ ସୃଷ୍ଟି ହୋଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଦେବଶ୍ରୀ ଚୌଧୁରୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ କାମ କରିବା ବିଧାୟକ କ୍ରିଷ୍ଣାଙ୍କ ପାଇଁ କାଠିକର ପାଠ ହୋଇଯାଉଛି। ଏହି କାରଣରୁ ବିଜେପି ସହ ରହି କାମ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଗୁରୁବାର ସେ ସାଂସଦ ଚୌଧୁରୀଙ୍କୁ ଟାର୍ଗେଟ କରିଥିବାରୁ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ। ନୋଟିସ ପାଇବା ମାତ୍ରେ ଆଜି ସେ ଦଳ ଛାଡ଼ି ଦେଇଛନ୍ତି।

ରାଇଗଞ୍ଜରେ ସାମ୍ବାଦିକମାନଙ୍କୁ କ୍ରିଷ୍ଣା କଲ୍ୟାଣୀ କହିଛନ୍ତି, “ରାଇଗଞ୍ଜ ସାଂସଦ ଶ୍ରୀମତୀ ଚୌଧୁରୀ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଦୀର୍ଘ ଦିନ ହେଲା ସେ ଏପରି କାମ କରି ଚାଲିଛନ୍ତି। ସେ ମୋତେ ଗର୍ଦ୍ଦାର ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ପୂରଣ କରିବା ପାଇଁ ସେ ରାଇଗଞ୍ଜରେ ମୋତେ ହରାଇବାକୁ ପ୍ରଚାର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଁ ବିଜେପି କ୍ୟାମ୍ପରୁ ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ତତ୍କାଳ ଭାବେ କାର୍ଯ୍ୟ କରୁଛି।”

ବିଜେପି ଛାଡ଼ିଥିଲେ ମଧ୍ୟ ବର୍ତ୍ତମାନ ସେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ ସବୁବେଳେ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ଚାହେଁ। ହେଲେ ବିଜେପି କ୍ୟାମ୍ପରେ ରହିଲେ, ଏହା ଅସମ୍ଭବ। କାରଣ ଏଠାରେ ଚୌଧୁରୀ ହିଁ ପୂରା ସଂଗଠନକୁ ଚଳାଉଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଧାୟକ କ୍ରିଷ୍ଣା ବିଜେପି ସହ ସମ୍ପର୍କ ତୁଟାଇଥିବାରୁ ଟିଏମସି ଏହାର ଫାଇଦା ଉଠାଇବା ମୁଡରେ ରହିଛି। ଦଳର ବରିଷ୍ଠ ନେତା ସୌଗତ ରୟ ଘଟଣା ଉପରେ ପ୍ରକ୍ରିୟା ଦେଇ କହିଛନ୍ତି, “ବିଧାୟକ କଲ୍ୟାଣୀଙ୍କୁ ବିଜେପିରେ ଉପଯୁକ୍ତ ସମ୍ମାନ ମିଳିନାହିଁ। ଆମେ ତାଙ୍କୁ ଦଳକୁ ସ୍ୱାଗତ କରିବାକୁ ଚାହିଁବୁ।”

ବିଗତ କିଛି ମାସ ମଧ୍ୟରେ ଏକାଧିକ ବିଜେପି ବିଧାୟକ ଓ ନେତାମାନେ ଦଳ ଛାଡ଼ି ଟିଏମସିରେ ମିଶିବାରେ ଲାଗିଛନ୍ତି। ପୂର୍ବରୁ ବିଧାୟକ ମୁକୁଲ ରୟ ଟିଏମସିରେ ମିଶିଥିବା ବେଳେ କିଛିଦିନ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ମିଶିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।