ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଦୈନିକ ଓ ସାପ୍ତାହିକ ଟ୍ରେନ୍ ବାତିଲ କରି ଦିଆଯାଇଥିଲା। ଏହା ବଦଳରେ ସୀମିତ ସ୍ପେଶାଲ ଟ୍ରେନ୍ ଚଲାଯାଇଥିଲା। ଅନ୍ୟପଟେ ଯାନବାହାନର ଅଭାବ ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀମାନେ ସଙ୍କଟରୁ ମୁକ୍ତି ପାଇଁ ଟ୍ରେନ୍ ଉପରେ ନିର୍ଭରଶୀଳ ଥିଲେ। ତେଣୁ ପ୍ରବଳ ଭିଡ଼ ହେତୁ ଯାତ୍ରୀମାନେ ପ୍ରିମିୟମ ଏବଂ ପ୍ରିମିୟମ ତତ୍କାଳ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରିଥିଲେ। ଯାହାର ଫାଇଦା ରେଲୱେକୁ ମିଳିଛି। ମୁଖ୍ୟତଃ ସ୍ପେସିଆଲ ଟ୍ରେନ୍ ଯାତ୍ରାର ତାରିଖ ପାଖେଇ ଆସିବା ବେଳେ ଡାଇନାମିକ ଭଡ଼ା ଲଗାଇ ରେଲୱେ ମାଲାମାଲ ହୋଇଛି ।
କୋଭିଡ୍ ସମୟରେ ରେଲୱେ କେତେ ଧନୀ ହୋଇଛି ତାହା ଏକ ଆରଟିଆଇ ତଥ୍ୟରୁ ଜଣାପଡ଼ିଛି। ଆରଟିଆଇ ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ଭାରତୀୟ ରେଲୱେ ତତ୍କାଳ ଟିକେଟ ଚାର୍ଜରୁ ୪୦୩ କୋଟି ଟଙ୍କା ଆୟ କରିଛି। ସେହିପରି ପ୍ରିମିୟମ ଟିକେଟ ଚାର୍ଜରୁ ଓ ୧୧୯ କୋଟି ଟଙ୍କା ପାଇଛି ରେଲୱେ। ଶତାବ୍ଦୀ ଏବଂ ରାଜଧାନୀ ଭଳି ସ୍ପେଶାଲ ଟ୍ରେନ୍ରେ ଡାଇନାମିକ୍ ଶୁଳ୍କ ଲାଗୁ କରି ୫୧୧ କୋଟି ଟଙ୍କା ଆୟ କରିଛି ରେଲୱେ। ମୁଖ୍ୟତ କରୋନା ମହାମାରୀ ସୟମରରେ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥୀଲା। ଏହି ସମୟରେ ରେଲୱେ ଡାଇନାମିକ ଫେୟାର ସିଷ୍ଟମ (Dynamic Fare System) ଲାଗୁ କରାଯାଇଥିଲା। ଏହି ନିୟମ ଅନୁଯାୟୀ, ସିଟର ଚାହିଦା ଅନୁସାରେ ଭଡ଼ା ସ୍ଥିର ହେଉଥିଲା। ଏହି ଭଡ଼ା ରାଜଧାନୀ, ଶତାବ୍ଦୀ ଏବଂ ଅନ୍ୟ କିଛି ଟ୍ରେନ୍ ପାଇଁ ଲାଗୁ କରାଯାଇ ଥିଲା ।
ମଧ୍ୟପ୍ରଦେଶର ଜଣେ ଆରଟିଆଇ କର୍ମୀ ଚନ୍ଦ୍ରଶେଖର ଗୌର ଏ ବାବଦରେ ଆବେଦନ କରିଥିଲେ। ତାଙ୍କୁ ଦିଆଯାଇଥିବା ଉତ୍ତର ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଡାଇନାମିକ ଭଡ଼ା ଯୋଗୁ ୨୪୦ କୋଟି ଟଙ୍କା , ତତ୍କାଳ ଟିକେଟରୁ ୩୫୩ କୋଟି ଏବଂ ପ୍ରିମୟିମ ତତ୍କାଳ ଶୁଳ୍କ ପାଇଁ ୮୯ କୋଟି ଟଙ୍କା ଆୟ କରିଛି ରେଲୱେ। ୨୦୧୯-୨୦ ବର୍ଷରେ ଟ୍ରେନ୍ ଚଳାଚଳ ନେଇ ସେମିତି କୌଣସି ପ୍ରତିବନ୍ଧକ ନଥିଲା। ତେବେ ଡାଇନାମିକ ଶୁଳ୍କ ଲାଗୁ କରି ରେଳୱେ ମୋଟ୍ ୧୩୧୩ କୋଟି ଟଙ୍କା ପାଇଛି ରେଳୱେ।
ସେହିପରି ତତ୍କାଳ ଟିକେଟରୁ ୧୬୬୯ କୋଟି ଏବଂ ପ୍ରମିୟମ ତତ୍କାଳ ଟିକେଟରୁ ମୋଟ୍ ୬୦୩ କୋଟି ଟଙ୍କା କମେଇଛି। ଏହି ତତ୍କାଳ ଶୁଳ୍କର ଅତ୍ୟଧିକ ପରିମାଣକୁ ନେଇ ରେଲୱେ ସହ ଜଡ଼ିତ ସଂସଦର ସ୍ଥାୟୀ ସମିତି ଆପତ୍ତି ଉଠାଇ ଥିଲା। ତତ୍କାଳ ମାଧ୍ୟମରେ ଅଧିକ ଶୁଳ୍କ ଥିବାରୁ ଏହା ଯାତ୍ରୀଙ୍କ ଉପରେ ବେଶ ଭାରି ପଡ଼ୁଛି। ଆର୍ଥିକସ୍ତରରେ ଦୁର୍ବଳ ଥିବା ଲୋକମାନଙ୍କ ପାଇଁ ଏହି ଶୁଳ୍କ ଏକ ପ୍ରକାର କଷ୍ଟଦାୟକ ବୋଲି ସମିତି କହିଥିଲା। ତେଣୁ ଏହି ଶୁଳ୍କକୁ ହ୍ରାସ କରିବାକୁ ଦାବି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।