ଟ୍ରାକ୍‌ରେ ଦୌଡ଼ିଲା ବାସୁକି: ଲାଗିଛି ୬ଟି ଇଞ୍ଜିନ ଓ ୨୯୫ ବଗି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ସବୁଠାରୁ ଲମ୍ବା ଓ ଶକ୍ତିଶାଳୀ ମାଲବାହୀନ ଟ୍ରେନ ‘ ସୁପର ବାସୁକି’ ପ୍ରଥମଥର ପାଇଁ ଟ୍ରାକ୍‌ରେ ଦୌଡ଼ିଛି। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ(ଏସ୍‌ଇସିଆର) ପକ୍ଷରୁ ଅଗଷ୍ଟ ୧୫ରେ ଏହାର ଟ୍ରାଏଲ କରାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ସବୁଠାରୁ ଲମ୍ବା ଟ୍ରେନ୍‌ ଟ୍ରାକ୍‌ରେ କୋଇଲା ଧରି ତା’ର ଜଲୱା ଦେଖାଇଛି।

ବାସୁକି ଟ୍ରାକ୍‌ରେ ଯାଉଥିବା ବେଳେ ଏହାର ଭିଡିଓକୁ ରେକର୍ଡ କରାଯାଇଥିଲା। ଏହାପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଟ୍ୱିଟ କରିଛନ୍ତି। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଲୋକମାନେ ବାସୁକି ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ଦେଖାଇବାରେ ଲାଗିଛନ୍ତି।
ଏହି ଟ୍ରେନ୍‌ଟିର ଲମ୍ବା ୩.୫ କିମି। ଏଥିରେ ୨୯୫ଟି ବଗି ଓ ୬ଟି ଇଞ୍ଜିନ ରହିଛି।

ଟ୍ରାଏଲ ବେଳେ ଏଥିରେ ୨୫,୯୬୨ କେଜି ଓଜନର କୋଇଲା ଓ ମାଲ ରଖାଯାଇଥିଲା। ଏକାସଙ୍ଗରେ ଏହି ଟ୍ରେନରେ କୋଇଲା ସହ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ନିଆଯାଇ ପାରିବ। ଏଥିପାଇଁ ୩.୫ କିମି ଲମ୍ବା ବାସୁକିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କିଛି ବଗି ଖୋଲା ରହିଥିବା ବେଳେ ଆଉ କିଛି ବଗିକୁ ବକ୍ସ ଆକାରରେ ତିଆରି କରାଯାଇଛି।

ବାସୁକିରେ ଯେତିକି କୋଇଲା ପରିବହନ ହୋଇପାରିବ, ସେଥିରେ ଗୋଟିଏ ପାୱାର ପ୍ଲାଣ୍ଟରେ ଦିନକରେ ୩୦୦୦ ମେଗା ୱାଟ ବିଜୁଳି ଉତ୍ପାଦନ ହୋଇପାରିବ। ଏହା ବର୍ତ୍ତମାନ କୋଇଲା ପରିବହନ କ୍ଷମତା ଠାରୁ ୩ ଗୁଣ ଅଧିକ। ୨୬୭ କିମି ଦୂରତା ଅତିକ୍ରମ କରିବାକୁ ଟ୍ରେନକୁ ୧୧.୨୦ ଘଣ୍ଟା ସମୟ ଲାଗୁଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସୁପର ବାସୁକି ଟ୍ରେନ ଛତିଶଗଡ଼ର ଭିଲାଇ ଠାରୁ କୋବ୍ରା ମଧ୍ୟରେ ଟ୍ରାଏଲ ରନ କରିଥିଲା। ଗତବର୍ଷ ମଧ୍ୟ ରେଳବାଇ ବାସୁକି ଓ ତ୍ରିଶୁଳ ନାଁରେ ଦୁଇଟି ବିଶାଳ ମାଲବାହୀ ଟ୍ରେନର ଟ୍ରାଏଲ ରନ କରାଇଥିଲା। ହେଲେ ଏହାର ଲମ୍ବା ୨.୮ କିମି ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।