ଚିନ୍ତା ବଢ଼ାଇଲା କୋଇଲା ସଙ୍କଟ: ୪୨ ଯାତ୍ରୀବାହୀ ଟ୍ରେନ ବାତିଲ, ଆଗକୁ ଆହୁରି ହେବ

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସମଗ୍ର ଦେଶରେ ବିଜୁଳି ଚାହିଦା ବଢ଼ିଛି। ବିଜୁଳି ଚାହିଦା ବଢ଼ୁଥିବା ବେଳେ ଉତ୍ପାଦନ ପାଇଁ କୋଇଲାର ଅଭାବ ଦେଖିବାକୁ ମିଳିଛି। କୋଇଲା ସଙ୍କଟ ଯୋଗୁ ବିଜୁଳି ଅଭାବ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କୋଇଲା ବୋଝେଇ ଟ୍ରେନ ବା ମାଲବାହୀ ଟ୍ରେନର ଗତିକୁ ତ୍ୱରାନ୍ୱିତ କରିବାକୁ ଭାରତୀୟ ରେଳବାଇ ୪୨ଟି ଯାତ୍ରୀବାହୀ ଟ୍ରେନକୁ ବାତିଲ କରିଛି। ସେହିପରି ଆଗକୁ […]

Coal

Coal

Hemant Lenka
  • Published: Friday, 29 April 2022
  • Updated: 29 April 2022, 04:05 PM IST

Sports

Latest News

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସମଗ୍ର ଦେଶରେ ବିଜୁଳି ଚାହିଦା ବଢ଼ିଛି। ବିଜୁଳି ଚାହିଦା ବଢ଼ୁଥିବା ବେଳେ ଉତ୍ପାଦନ ପାଇଁ କୋଇଲାର ଅଭାବ ଦେଖିବାକୁ ମିଳିଛି। କୋଇଲା ସଙ୍କଟ ଯୋଗୁ ବିଜୁଳି ଅଭାବ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

କୋଇଲା ବୋଝେଇ ଟ୍ରେନ ବା ମାଲବାହୀ ଟ୍ରେନର ଗତିକୁ ତ୍ୱରାନ୍ୱିତ କରିବାକୁ ଭାରତୀୟ ରେଳବାଇ ୪୨ଟି ଯାତ୍ରୀବାହୀ ଟ୍ରେନକୁ ବାତିଲ କରିଛି। ସେହିପରି ଆଗକୁ ମଧ୍ୟ କୋଇଲା ଚାଲାଣକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି ଅନେକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯିବାର ସୂଚନା ଦେଇଛି।

ରେଳବାଇ ପକ୍ଷରୁ ସମଗ୍ର ଦେଶରେ କୋଇଲା ସଙ୍କଟକୁ ଦୂର କରିବା ପାଇଁ ମୋଟ ୬୭୦ଟି ମେଲ୍‌/ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯିବାର ଯୋଜନା ରହିଛି। ମେ’ ୨୪ ଯାଏ ଏପରି ନିୟମ ଲାଗୁ ହେବ। ବାତିଲ ହେବାକୁ ଥିବା ୬୭୦ଟି ଟ୍ରେନ ମଧ୍ୟରୁ ପ୍ରାୟ ୫୦୦ଟି ଏକ୍ସପ୍ରେସ ଗାଡ଼ି।

ଦେଶର ବିଭିନ୍ନ ଥର୍ମାଲ ପାୱାର ପ୍ଲାଣ୍ଟରେ ଏବେ କୋଇଲା ଶେଷ ହେବାକୁ ବସିଲାଣି। ଏଥିପାଇଁ ବିଜୁଳି ଉତ୍ପାଦନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କୋଇଲା ସପ୍ଲାଏକୁ ଜୋରଦାର କରାଯାଇଛି। ରେଳବାଇ ପକ୍ଷରୁ ଦୈନିକ ହାରାହାରି ୪୦୦ ରାକ ବା ବଗିରେ କୋଇଲା ପରିବହନ କରାଯାଉଛି। ଏହା ୫ ବର୍ଷ ମଧ୍ୟରେ ସର୍ବାଧିକ।

ଜାତୀୟ ଟ୍ରାନ୍ସପୋର୍ଟର ପ୍ରତିଶ୍ରୁତି ଦେଇଛି ପ୍ରତିଦିନ କୋଇଲା ପରିବହନ ପାଇଁ ୪୧୫ ରାକ ଯୋଗାଇ ଦେବ। ପ୍ରତି ରାକରେ ୩୫୦୦ ଟନ୍‌ କୋଇଲା ପରିବହନ ହୋଇପାରିବ। ଏପରି କାର୍ଯ୍ୟକ୍ରମ ପ୍ରାୟ ୨ ମାସ ଧରି ଚାଲିବ। ଜୁଲାଇ-ଅଗଷ୍ଟରେ ବର୍ଷା ଯୋଗୁ ପାୱାର ପ୍ଲାଣ୍ଟ ଗୁଡ଼ିକ ଯେମିତି କୋଇଲା ସଙ୍କଟର ସମ୍ମୁଖୀନ ନ ହେବେ, ସେଥିପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା ଆଗୁଆ କରିବାକୁ ଯୋଜନା କରିଛନ୍ତି।

କେନ୍ଦ୍ରୀୟ ଇଲେକ୍ଟ୍ରିସିଟି ପ୍ରାଧିକରଣ(ସିଇଏ) ଦେଇଥିବା ସୂଚନା ଅନୁଯାୟୀ, ଦେଶର ୧୬୫ ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ୫୬ଟି ଷ୍ଟେସନରେ ୧୦% କିମ୍ବା ତା’ଠାରୁ କମ କୋଇଲା ରହିଛି। ସେହିପରି ୨୬ଟିରେ ୫%ରୁ କମ କୋଇଲା ଗଚ୍ଛିତ ହୋଇ ରହିଛି। ଏପରି ସ୍ଥିତିରେ ଯଦି କୋଇଲା ଠିକ୍ ସମୟରେ ନ ପହଞ୍ଚିବ, ତା’ହେଲେ ସମଗ୍ର ଦେଶରେ ବିଜୁଳି ସଙ୍କଟ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି।

ନିୟମ ଅନୁଯାୟୀ କୌଣସି ପାୱାର ପ୍ଲାଣ୍ଟରେ ୧୫ ଦିନରୁ କମ୍ ଷ୍ଟକ୍ ରହିବା ଉଚିତ୍ ନୁହେଁ, କିନ୍ତୁ ଅଧିକାଂଶ ପ୍ଲାଣ୍ଟରେ କୋଇଲାର ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କୋଇଲା ପରିବହନକୁ ତ୍ୱରାନ୍ୱିତ କରିଛନ୍ତି।

ଅନ୍ୟପକ୍ଷରେ ଯାତ୍ରୀବାହୀ ଟ୍ରେନ ବାତିଲକୁ ନେଇ ବିଭିନ୍ନ ସ୍ଥାନରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ରେଳବାଇ ପାଖରେ କୋଇଲା ପରିବହନ ପାଇଁ ଆଉ କୌଣସି ବିକଳ୍ପ ନଥିବାରୁ ସେମାନେ ବାଧ୍ୟ ହୋଇ ଯାତ୍ରୀବାହୀ ଟ୍ରେନ ବାତିଲ କରିଥିବା ଜଣେ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos