ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ, ଷଡ଼ଯନ୍ତ୍ରର ଗନ୍ଧ ବାରିଲା ପୁଲିସ୍‌

ମୁମ୍ବାଇ: ଗୋଟିଏ ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଯାଇଛି ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ଏହି ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ରେଳ ଧାରଣରେ ଗୋଟିଏ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ହେଲେ ସୌଭାଗ୍ୟବଶତଃ ସିମେଣ୍ଟ ଖଣ୍ଡ ଧକ୍କାରେ କୌଣସି ଅଘଟଣ ଘଟିନାହିଁ। ଦକ୍ଷିଣ ଗୁଜରାଟର ଭାଲସାଦ ଟ୍ରାକ୍‌ରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

ଭାଲସାଦ ପୁଲିସ୍‌ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ସନ୍ଧ୍ୟା ୭.୧୦ରେ ଏପରି ଘଟଣା ଘଟିଥିଲା। ମୁମ୍ବାଇ-ହଜରତ ମୁଜାହିଦ୍ଦିନ କ୍ରାନ୍ତୀ ରାଜଧାନୀ ଏକ୍ସପ୍ରେସ ଦିଲ୍ଲୀ ଯାଉଥିବା ବେଳେ ରେଳ ଧାରଣାରେ ଥିବା ଗୋଟିଏ ସିମେଣ୍ଟ ପିଲାରକୁ ଧକ୍କା ଦେଇଥିଲା।

ଭାଲସାଦ ନିକଟ ଅତୁଲ ରେଳ ଷ୍ଟେସନ ନିକଟ ନିକଟରେ ସିମେଣ୍ଟ ପିଲାରକୁ ଟ୍ରାକ୍ ଉପରେ ରଖାଯାଇଥିଲା। ଟ୍ରେନଟି ପିଲାରକୁ ଧକ୍କା ଦେଇଥିଲେ ମଧ୍ୟ ଏହା ଟ୍ରାକ୍‌ରୁ ବାହାରି ଯାଇଥିଲା। ତେଣୁ ରେଳ ଚଳାଚଳ ଆଦୌ ପ୍ରଭାବିତ ହୋଇନାହିଁ। ସେହିପରି କୌଣସି ଯାତ୍ରୀ ମଧ୍ୟ ଆହତ ହୋଇନାହାନ୍ତି।

ଘଟଣା ପରେ ଲୋକ ପାଇଲଟ ତୁରନ୍ତ ଅତୁଲ ରେଳ ଷ୍ଟେସନ ଅଧିକାରୀଙ୍କୁ ଏ ସମ୍ପର୍କରେ ଖବର ଦେଖିଥିଲେ। ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ରେଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ବୋଲି ‌ଅଧିକାରୀ ଜଣଙ୍କ କହିଛନ୍ତି।

ସୁରତ ରେଞ୍ଜ ଆଇଜି ରାଜକୁମାର ପାଣ୍ଡିଆନ କହିଛନ୍ତି, “କିଛି ଅଜଣା ଦୁର୍ବୃତ୍ତ ରେଳ ଧାରଣା ଉପରେ ସିମେଣ୍ଟ ପିଲାର ରଖିଥିଲେ। ଏହାକୁ ରାଜଧାନୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଏହାପରେ ଟ୍ରେନ ମ୍ୟାନେଜର ତୁରନ୍ତ ସ୍ଥାନୀୟ ଷ୍ଟେସନ ମାଷ୍ଟରଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। କେହି ଜାଣିଶୁଣି ଟ୍ରେନଟିକୁ ଲାଇନଚ୍ୟୁତ କରିବାକୁ ଯୋଜନା କରିଥିଲା। ତେଣୁ ଏଫଆଇଆର ରୁଜୁ କରି ଏବେ ଘଟଣାର ତଦନ୍ତ କରାଯାଉଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।