ରାମ ମନ୍ଦିର ପାଇଁ ‘ରାମ’ଙ୍କ ଟ୍ୱିଟ, ‘ସୀତା’ଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟରେ ହିନ୍ଦୁ ଧର୍ମର ଲୋକମାନେ ୫ଶହ ବର୍ଷ ହେଲା ଦେଖି ଆସୁଥିବା ସ୍ୱପ୍ନ ସାକାର ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଶିଳାନ୍ୟାସ କରିଛନ୍ତି। ଆଜିର ଦିନରେ ଅନେକ ଲୋକ ସୋଶାଲ ମିଡିଆରେ ଟ୍ୱିଟ କରି ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ଆଜିର ଦିନ ଐତିହାସିକ ବୋଲି ଅନେକ ମତ ରଖିଛନ୍ତି। ଏହିକ୍ରମରେ ରାମାୟଣ ସିରିଆଲରେ ରାମଙ୍କ ଚରିତ୍ରରେ ଅଭିନୟ କରି ଘରେଘରେ ଭଗବାନ ରାମଙ୍କ ରୂପରେ ପରିଚୟ ହାସଲ କରିଥିବା ଅଭିନେତା ଅରୁଣ ଗୋଭିଲ ବି ଟ୍ୱିଟ କରିଛନ୍ତି।

ସେ ନିଜ ଟ୍ୱିଟର ପ୍ରୋଫାଇଲରେ ଭଗବାନ ରାମଙ୍କ ବେଶ ଧାରଣ କରିଥିବା ବେଳର ଫଟୋ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି ଯେ “ଇତିହାସରେ ଆଜିର ଦିନକୁ ସ୍ୱର୍ଣ୍ଣାକ୍ଷରେ ବର୍ଣ୍ଣିତ ହେବ। ଶ୍ରୀରାମ ମନ୍ଦିର ପାଇଁ ଶିଳାନ୍ୟାସ ହେବାରୁ ସମଗ୍ର ବିଶ୍ୱରେ ଥିବା ରାମ ଭକ୍ତଙ୍କ ସ୍ୱପ୍ନ ପୂରଣ ହୋଇଛି। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଶ୍ରୀରାମ।”

ଅରୁଣ ଗୋଭିଲଙ୍କ ଏହି ଟ୍ୱିଟକୁ ଅନେକ ଲୋକ ପସନ୍ଦ କରିଛନ୍ତି। ରାମ ମନ୍ଦିର ପାଇଁ ଖୋଦ୍‌ ‘ରାମ’ ଟ୍ୱିଟ କରିଥିବା ଅନେକ କହିଛନ୍ତି।

ସେହିପରି ରାମାୟଣ ସିରିଆଲରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଛିଖଲିଆ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଏହା ସମସ୍ତ ଭାରତୀୟଙ୍କ ପାଇଁ ବଡ଼ ବିଜୟ। ଜ୍ୟୋତି ସେ ଜ୍ୟୋତି ଜଲାତେ ଚାଲୋ ରାମକା ନାମ ଜପିତେ ଚାଲୋ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।