ସର୍ବସମ୍ମୁଖରେ ଦୁଷ୍କର୍ମ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ମାଡ଼ ମାରି ଗାଁ ଦାଣ୍ଡରେ ବୁଲାଇଲେ

ଭୋପାଲ: ବର୍ବରତାର ସବୁ ସୀମା ଟପିଛି। ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୬ ବର୍ଷୀୟ ଝିଅଙ୍କୁ ତାଙ୍କ ଆକ୍ରମଣକାରୀଙ୍କ ସହ ମାଡ଼ ମରାଯାଇଛି। ଖାଲି ସେତିକି ନୁହେଁ, ଉଭୟଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଚଲାଇ ଚଲାଇ ନିଆଯାଇଛି। କ୍ୟାମେରାରେ ଏହି ଦୃଶ୍ୟ କଏଦ ହେବା ପରେ ଭାଇରାଲ ହେବାରେ ଲାଗିଛି।

ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଲୀରାଜପୁର ଜିଲ୍ଲାର ଗୋଟିଏ ଗାଁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଆନ୍ଦୋଳିତ କରିବା ଭଳି ଭିଡିଓରେ ପୀଡ଼ିତା ଓ ଅଭିଯୁକ୍ତ ଦଉଡ଼ି ବନ୍ଧା ହୋଇ ଚାଲୁ ଥିବା ବେଳେ କିଛି ଲୋକ ସେମାନଙ୍କୁ ଘେରିଯାଇ ନାରାବାଜି କରୁଛନ୍ତି। ପୁଲିସ୍‌ ଏହି ଘଟଣାରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ୬ ଜଣଙ୍କୁ ଗିରଫ କରିଛି।

ଭିଡିଓ ଅନୁଯାୟୀ, ନାବାଳିକା ଜଣଙ୍କ ଦଉଡ଼ିରେ ବନ୍ଧା ହୋଇ ଚାଲୁଥିବା ବେଳେ ତାଙ୍କୁ କିଛି ଲୋକ ଘେରି ରହି ଭାରତ ମାତା‌ କି ଜୟ ନାରାବାଜି କରୁଛନ୍ତି। ପୀଡ଼ିତା ଓ ଅଭିଯୁକ୍ତଙ୍କୁ ମାଡ଼ ମରାଯିବା ପରେ ସେମାନଙ୍କୁ ଏଭଳି ଗାଁ ଦାଣ୍ଡରେ ବୁଲା ଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ସାମିଲ ଥିଲେ। ସେମାନେ ହିଁ ନିଜ ଝିଅକୁ ଏପରି ଦଣ୍ଡ ଦେଇଛନ୍ତି।

Rape Survivor Tied, Paraded With Her Attacker In Madhya Pradesh Shockerଖବର ପାଇ ପୀଡ଼ିତାଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରାଯାଇଥିଲା ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ଦିଲ୍ଲୀପ ସିଂହ ବିଲୱାଲ କହିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ୨ଟି ମାମଲା ରୁଜୁ କରାଯାଇଛି। ଗୋଟିଏ ମାମଲାର ୨୧ ବର୍ଷୀୟ ଦୁଷ୍କର୍ମ ଅଭିଯୁକ୍ତଙ୍କ ନାଁରେ କରାଯାଇଥିବା ବେଳେ ଆଉ ଗୋଟିଏ ମାମଲା ପୀଡ଼ିତାଙ୍କ ପରିବାର ଲୋକ ଏବଂ ସେମାନଙ୍କୁ ମାଡ଼ ମାରିଥିବା ଗ୍ରାମବାସୀଙ୍କ ନାଁରେ କରାଯାଇଛି। ୬ ଜଣଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।