୧ କୋଟି ଟଙ୍କାରେ ବିକ୍ରି ହେଲା ଷଣ୍ଢ, ଜାଣନ୍ତୁ କାରଣ..

ବେଙ୍ଗାଲୁରୁ: ଗୋଟିଏ ଷଣ୍ଢ କେମିତି ଏକ କୋଟି ଟଙ୍କାରେ ବିକ୍ରି ହେଲା, ସେକଥା ଭାବି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ବେଙ୍ଗାଲୁରୁରେ ଚାଲିଥିବା ୪ ଦିନିଆ କୃଷି ମେଳାରେ ଏପରି ଘଟଣା ଘଟିଛି। ଗୋଟିଏ ଷଣ୍ଢକୁ ତା’ ମାଲିକ ୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି।

ଚଳିତ ବର୍ଷ କୃଷି ମେଳାରେ ଏହି ବିରଳ ପ୍ରଜାତିର ବିରାଟ କାୟ ଷଣ୍ଢ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ମେଳାରେ କ୍ରିଷ୍ଣା ନାମକ ଷଣ୍ଢକୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ଏହାର ଭିଡିଓ ଓ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଷଣ୍ଢକୁ କେବଳ ଦେଖୁ ନଥିଲେ ବରଂ କିଣିବା ପାଇଁ ମଧ୍ୟ ଆଗ୍ରହ ଦେଖାଉଥିଲେ। ତା’ ସହ ଅନକ ଲୋକ ଫଟୋ ମଧ୍ୟ ଉଠାଇଛନ୍ତି।

ଏବେ କ୍ରିଷ୍ଣା ନାମକ ଷଣ୍ଢର ବୟସ ମାତ୍ର ୩.୫ ବର୍ଷ। ଷଣ୍ଢଟି ହାଲ୍ଲିକର ପ୍ରଜାତିର ହୋଇଥିବାରୁ ତା’ର ଚାହିଦା ବେଶ ଅଧିକ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ୪ ଦିନିଆ କୃଷି ମେଳାକୁ ବେଶ ଅତ୍ୟାଧୁନିକ ଶୈଳୀରେ ଆୟୋଜନ କରାଯାଇଥିଲା। ଏଥିରେ ଲୋକମାନେ ଉଭୟ ଭର୍ଚ୍ୟୁଆଲ ଓ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିଥିଲେ। ତେବେ ହିଲ୍ଲାକାର ଷଣ୍ଢ ହିଁ ମେଳାର ଆକର୍ଷଣ ରହିଥିଲା। ଶେଷରେ ଏହି ଷଣ୍ଢଟି ୧ କୋଟି ଟଙ୍କାରେ ବିକ୍ରି ହୋଇଛି।

ଷଣ୍ଢର ମାଲିକ ବୋରେ ଗୌଡା କହିଛନ୍ତି ଯେ ହାଲ୍ଲିକର ପ୍ରଜାତିର ଷଣ୍ଢର ଚାହିଦା ବେଶ ଅଧିକ। କାରଣ ଏହାର ସେମେନ ସମସ୍ତେ ଚାହାନ୍ତି। ଆମେ ପ୍ରତି ଡୋଜ ସେମେନକୁ ହଜାରେ ଟଙ୍କାରେ ବିକ୍ରି କରୁ। ହାଲ୍ଲିକର ପ୍ରଜାତିର ସେମେନକୁ ବ୍ୟବହାର କଲେ ଏ୨ ପ୍ରୋଟିନ ଯୁକ୍ତ କ୍ଷୀର ମିଳିଥାଏ।

ଯାହାର ଚାହିଦା ବେଶ ଅଧିକ। ବର୍ତ୍ତମାନ ଏହି ପ୍ରଜାତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି। ମେଳାରେ ଏହାକୁ କିଣିବା ପାଇଁ ଅନେକ ଲୋକ ଓ ବ୍ୟବସାୟୀ ଲକ୍ଷଲକ୍ଷ ଟଙ୍କାର ନିଲାମ ଡାକିଥିଲେ। କିନ୍ତୁ ଶେଷରେ ଜଣେ ବ୍ୟକ୍ତି ୧ କୋଟି ଟଙ୍କାରେ ଷଣ୍ଢକୁ କିଣିଛନ୍ତି ବୋଲି ସେ କହିଛନ୍ତି।


ସୋଶାଲ ମିଡିଆରେ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଲକ୍ଷଲକ୍ଷ ଏହା ଉପରେ ପ୍ରତିକ୍ରିୟା ଦେବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।