ବାପାଙ୍କୁ ଆତଙ୍କୀମାନେ ହତ୍ୟା କରିବାରୁ ଚାକିରି ପାଇଥିଲେ, ଏବେ ସରକାର ବାହାର କରିଦେଲେ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ବାପାଙ୍କୁ ଅପହରଣ କରି ହତ୍ୟା କରିବା ପରେ ସରକାର ସହାନୁଭୂତି ଦେଖାଇ ଚାକିରି ଦେଇଥିଲେ। ହେଲେ ଏବେ ସେହି ସରକାର ଭାରତ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କାର କରିଦେଇଛନ୍ତି। ସରକାର ବହିଷ୍କାରର ପ୍ରକୃତ କାରଣ କହି ନଥିବାରୁ ଏବେ ଚାକିରି ହରାଇ ଚିନ୍ତାରେ ପଡ଼ିଛନ୍ତି କଶ୍ମୀରର ରାଜିୟା ସୁଲତାନ।

ଦୁଇ ଦିନ ତଳେ ସରକାର କଶ୍ମୀରର ୧୧ ଜଣ ସରକାରୀ କର୍ମଚାରୀଙ୍କୁ ଆତଙ୍କୀ ଲିଙ୍କ ଅଭିଯୋଗରେ ଚାକିରିରୁ ବିଦା କରିଥିଲେ। ଏମାନଙ୍କ ମଧ୍ୟରେ ଏକମାତ୍ର ମହିଳା ଭାବେ ରାଜିୟା ରହିଛନ୍ତି। ରାଜିୟାଙ୍କ ବାପା ଜଣେ ଓକିଲ ଭାବେ କାମ କରୁଥିଲେ। କିନ୍ତୁ ବନ୍ଧୁକଧାରୀ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେବା ପରେ ଗୁଳି କରି ମାରି ଦେଇଥିଲେ। ସରକାର ଏଥିପାଇଁ ରାଜିୟାଙ୍କୁ ଚାକିରି ଦେଇଥିଲେ।

ରାଜିୟା କହିଛନ୍ତି, ସେ କେବେ ହେଲେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି। ତାଙ୍କୁ କ’ଣ ପାଇଁ ଚାକିରିରୁ ବହିଷ୍କୃତ କରାଗଲା, ତା’ର କାରଣ କିଛି ବି କୁହାଯାଇ ନାହିଁ। କେବଳ ତତ୍କାଳ ଭାବେ ସେ ଚାକିରି ହରାଇଥିବା ତାଙ୍କୁ ପଠାଯାଇଥିବା ନୋଟିସ୍‌ରେ କୁହାଯାଇଛି।

ରାଜିୟା ଅନନ୍ତନାଗ ଜିଲ୍ଲାର ଖିରମା ମିଡିଲ ସ୍କୁଲରେ ମୁଖ୍ୟ ଶିକ୍ଷକ ଭାବେ କାମ କରୁଥିଲେ। ଏବେ ସେ କ’ଣ କରିବେ, କିଛି ବି ଜାଣି ପାରୁ ନଥିବା କହିଛନ୍ତି।
ରାଜିୟାଙ୍କ ବାପା ହେଉଛନ୍ତି ମହମ୍ମଦ ସୁଲତାନ ଭଟ୍ଟ। ସେ ପେଶାରେ ଆଇନଜୀବୀ ଥିବା ବେଳେ ଜମାତ ଇସଲାମର ସଦସ୍ୟ ରହିଥିଲେ। ୧୯୯୬ରେ ତାଙ୍କୁ ଆତଙ୍କୀବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିଲେ। ଏହାପରେ ସରକାରୀ ସହାୟତା ଭାବେ ରାଜିୟାଙ୍କୁ ୨୦୦୦ ମସିହାରେ ଚାକିରି ମିଳିଥିଲା। ଏହାପୂର୍ବରୁ ପୁଲିସ୍‌ ଯାଞ୍ଚ କରାଯାଇଥିଲା। ସେ ୨୧ ବର୍ଷ କାମ କରି ସାରିବା ପରେ ଆତଙ୍କୀ ଲିଙ୍କରେ ଏବେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।