ନୂଆଦିଲ୍ଲୀ: କ୍ରମାଗତ ୪ର୍ଥ ଥର ପାଇଁ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ସାଧାରଣ ବଜେଟ ଉପସ୍ଥାପନ ଓ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ପ୍ରଥମଥର ପାଇଁ ଆଜି ଆରବିଆଇର ପଲିସି ମେକିଂ ବଡିର ବୈଠକ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା।
ଏଥିରେ ରେପୋ ରେଟ୍କୁ ୪%ରେ ଅପରିବର୍ତ୍ତିତ ରଖାଯାଇଛି। ସେହିପରି ଦେଶର ଜିଡିପି ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୧୦.୫% ସ୍ପିଡରେ ଆଗକୁ ବଢ଼ିବ ବୋଲି ଆରବିଆଇ ଆକଳନ କରିଛି। କରୋନା ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ମାଇନସ ୭.୭% ରହିବ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କାରାଯାଇଛି। ହେଲେ ଧୀରେଧୀରେ ସ୍ଥିତିରେ ସୁଧାର ଆସିଛି ଓ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଜିଡିପି ୧୦.୫% ସ୍ପିଡ୍ରେ ଆଗକୁ ବଢ଼ିବ ବୋଲି ବୈଠକରେ ଆକଳନ କରାଯାଇଛି।
ଆରବିଆଇର ୬ ଜଣିଆ ମନିଟାରୀ ପଲିସି କମିଟି(ଏମପିସି) ସର୍ବସମ୍ମତିକ୍ରମେ ରେପୋ ରେଟ୍କୁ ୪%ରେ ଅପରିବର୍ତ୍ତିତ ରଖିଥିବା ଜଣାପଡ଼ିଛି। ସେହିପରି ରିଭର୍ସ ରେପୋ ରେଟ୍ ମଧ୍ୟ ୩.୫%ରେ ରହିଛି। ଦେଶର ଅର୍ଥନୀତିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏଭଳି ବ୍ୟବସ୍ଥା ହୋଇଥିବା ଶକ୍ତିକାନ୍ତ ଦାସ କହିଛନ୍ତି।
ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ। ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ, ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ସେମାନେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।
ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ। କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।