ପିଲାଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଆରମ୍ଭ ହେବ ଛୋଟ ପିଲାଙ୍କ କରୋନା ବିରୋଧୀ ଟିକାକରଣ। ଏଥିପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ଥିବା କିଶୋରମାନେ କୋ ୱିନ ଆପକୁ ଯାଇ ଟିକା ପାଇଁ ସ୍ଲଟ ବୁକ କରିପାରିବେ।

ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ସେ ଟ୍ୱିଟର ଯୋଗେ ଏ ସମ୍ପର୍କରେ ସୂଚନା ଦେବା ସହ କିଶୋରମାନଙ୍କ ଟିକାକରଣ ପାଇଁ ସେମାନଙ୍କ ପରିବାର ବର୍ଗ ପଞ୍ଜୀକରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ନବବର୍ଷର ଅବସରରେ ଆଜିଠାରୁ ୧୫ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କୋୱନି ଆପରେ ସମସ୍ତେ ପଞ୍ଜୀକରଣ କରିପାରିବେ। ଯୋଗ୍ୟ ପିଲାମାନଙ୍କ ପରିବାଗ ବର୍ଗ ପଞ୍ଜୀକରଣ କରିବାକୁ ଆଗେଇ ଆସନ୍ତୁ। ପିଲାମାନେ ସୁରକ୍ଷିତ ରହିଲେ, ଦେଶର ଭବିଷ୍ୟତ ସୁରକ୍ଷିତ ହେବ।”

ଛୋଟ ପିଲାମାନଙ୍କ ଟିକାକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଗାଇଡଲାଇନ ଜାରି କରିଥିଲା। ଗାଇଡଲାଇନ ଅନୁଯାୟୀ, ୧୫ରୁ ୧୮ ବର୍ଷ ପିଲାଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବା। ଯେଉଁ ପିଲାମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମଗ୍ରହଣ କରିଛନ୍ତି ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ। ଟିକା ନେବା ପାଇଁ ଅନ୍‌ଲାଇନ୍‌ କିମ୍ବା ଓ୍ୱାକ୍-ଇନ୍‌ରେ ବୁକିଂ କରିହେବ।

ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯଦି କୌଣସି ୧୫ରୁ ୧୮ ବର୍ଷର ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ, ତେବେ ସେମାନେ ଷ୍ଟୁଡେଣ୍ଟ ଆଇଡି କାର୍ଡ ଦେଖାଇ ରେଜିଷ୍ଟ୍ରସନ କରିପାରିବେ। କେବଳ ସେତିକି ନୁହେଁ ଜନ୍ମ ପ୍ରମାଣ ପତ୍ର ଆଧାରରେ ମଧ୍ୟ ପଞ୍ଜୀକରଣ ହୋଇପାରିବ। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ପ୍ରାୟ ୬ରୁ ୭ କୋଟି ପିଲା ରହିଛନ୍ତି। ସେମାନଙ୍କ ଟିକାକରଣ ଯଥାଶୀଘ୍ର ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।


ସେହିପରି ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ମଧ୍ୟ ଗାଇଡଲାଇନ୍ ଜାରି ହୋଇଥିଲା। ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଡବଲ ଡୋଜ୍‌ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ନେବାକୁ ପଡ଼ିବ।

କୋ-ଓ୍ୱିନ୍‌ରେ ଦ୍ୱିତୀୟ ଡୋଜ୍ ନେବାର ଯେଉଁ ତାରିଖ ପଞ୍ଜୀକୃତ ଥିବ ସେବେଠାରୁ ୯ ମାସ ଗଣତି ହେବ। ବୁଷ୍ଟର ଡୋଜ୍ ନେବାର ସମୟ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଏସଏମଏସ୍‌ ମାଧ୍ୟମରେ ସୂଚିତ କରାଯିବ। ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍ ଆରମ୍ଭ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।