ଓମିକ୍ରନ ପାଇଁ ଫେରିଲା କଟକଣା: ୫୦% କ୍ଷମତାରେ ଚାଲିବ ରେଷ୍ଟୁରାଣ୍ଟ ଓ ବାର୍‌

ବେଙ୍ଗାଲୁରୁ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ପୁଣିଥରେ କଟକଣା ଲାଗୁ କରାଯାଇଛି। ଆଗକୁ ନୂଆ ବର୍ଷ ଓ ଖ୍ରୀଷ୍ଟମାସ ଆସୁଥିବାରୁ କର୍ଣ୍ଣାଟକା ସରକାର ଲୋକଙ୍କ ଏକାଠି ହେବା ଉପରେ ରୋକ ଲଗାଇଛନ୍ତି। ଏଥିସହ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ମଧ୍ୟ ଏଣିକି ୫୦% କ୍ଷମତାର ସହ କାର୍ଯ୍ୟ କରିବେ ବୋଲି ସରକାର କହିଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ଡିସେମ୍ବର ୩୦ ଠାରୁ ଜାନୁଆରୀ ୨ ଯାଏ କୌଣସି ସ୍ଥାନରେ ପାର୍ଟି କିମ୍ବା ଲୋକଙ୍କ ଏକତ୍ରୀକରଣ ହୋଇପାରିବ ନାହିଁ।

ସେ କହିଛନ୍ତି, “ଆମେ ନୂଆ ବର୍ଷରେ ସର୍ବସାଧାରଣରେ ଆୟୋଜନ ହେଉଥିବା ଉତ୍ସବ ଉପରେ ରୋକ ଲଗାଇଛୁ। କିନ୍ତୁ କ୍ଲବ, ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ବସିବା କ୍ଷମତାର ୫୦% ଲୋକଙ୍କୁ ନେଇ ନିଜର ସେବା ଯୋଗାଇ ପାରିବେ। ତେବେ ସେଠାରେ କୌଣସି ସ୍ୱତନ୍ତ୍ର ଡିଜେ ନାଇଟ ପାର୍ଟି ହେବନି।

ଆମେ ବିଶେଷଜ୍ଞମାନଙ୍କ ସହ ଓମିକ୍ରନର ସ୍ଥିତି ସମ୍ପର୍କରେ ଆଲୋଚନା କରିଛୁ। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସମଗ୍ର ରାଜ୍ୟରେ ଭିଡ଼ ଉପରେ ବ୍ୟାନ ଲଗାଯାଇଛି। କ୍ଲବ, ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ନୂଆବର୍ଷ ପାଇଁ କୌଣସି ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିପାରିବେ ନାହିଁ। ଯଥା ସମ୍ଭବ ଭିଡ଼ କମ କରିବାକୁ ସମସ୍ତଙ୍କୁ କୁହାଯାଇଛି।”

ରାଜ୍ୟ ସରକାର କେବଳ ବାର କିମ୍ବା ରେଷ୍ଟୁରାଣ୍ଟ ଉପରେ ରୋକ ଲଗାଇ ନାହାନ୍ତି, ବିଭିନ୍ନ ଆପାର୍ଟମେଣ୍ଟରେ ମଧ୍ୟ ନୂଆବର୍ଷ ପାଇଁ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଆପାର୍ଟମେଣ୍ଟରେ ଯେମିତି ଡିଜେ କିମ୍ବା ପାର୍ଟିର ଆୟୋଜନ ନ ହେବ, ସେକଥାକୁ ନିଶ୍ଚିତ କରିବା ଦାୟିତ୍ୱ ସ୍ଥାନୀୟ ଆସୋସିଏସନର ବୋଲି ସରକାର କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ବିସ୍ତୃତ ଗାଇଡଲାଇନ ଖୁବଶୀଘ୍ର ଜାରି ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।