ବେଙ୍ଗଲ ବିଭାଜନ ବୟାନକୁ ନେଇ ବିଜେପିରେ କନ୍ଦଳ!

କୋଲକାତା: ଉତ୍ତର ବେଙ୍ଗଲକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ବୟାନକୁ ନେଇ ବିଜେପି ମଧ୍ୟରେ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଲକେଟ ଚାଟାର୍ଜୀ ଦଳର ରାଜ୍ୟମୁଖ୍ୟ ଦିଲୀପ ଘୋଷ ଓ ଜନ ବର୍ଲାଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି। ସେମାନେ ଉତ୍ତର ବେଙ୍ଗଲରୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ଦେବାକୁ ଦାବି କରୁଥିବା ବେଳେ ଲକେଟ ବିପରୀତ କଥା କହିଛନ୍ତି।

ଆନନ୍ଦ ବଜାର ପତ୍ରିକାରେ ପ୍ରକାଶିତ ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବେଙ୍ଗଲ ବିଭାଜନ ବୟାନକୁ ନେଇ ବିଜେପିରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାକ୍ଷୀ ପୂର୍ଣ୍ଣିମା ପାଇଁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଲକେଟ ଚାଟାର୍ଜୀ କହିଛନ୍ତି ଯେ “ରବୀନ୍ଦ୍ରନାଥ ଟାଗୋର ବିଭାଜନ ବିପ୍ଳବ ବେଳେ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ। ମୁଁ ଜାଣିନି ଦିଲୀପ ଘୋଷ ଓ ଜନ କ’ଣ କହୁଛନ୍ତି। କିନ୍ତୁ ବେଙ୍ଗଲ କେବେ ହେଲେ ବିଭାଜନ ହୋଇପାରିବ ନାହିଁ।”

କେବଳ ଲକେଟ ନୁହନ୍ତି ବିଜେପିର ପୂର୍ବତନ ବେଙ୍ଗଲ ମୁଖ୍ୟ ରାହୁଲ ସିହ୍ନା ମଧ୍ୟ ବେଙ୍ଗଲ କେବେ ହେଲେ ଦୁଇ ଭାଗରେ ବିଭକ୍ତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅଲୀପୂରଦୁଆର ସାଂସଦ ଜନ ବର୍ଲା ଜୁନ୍‌ ମାସରେ ଉତ୍ତର ବେଙ୍ଗଲର ଜିଲ୍ଲା ଗୁଡ଼ିକୁ ନେଇ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବା ସପକ୍ଷରେ ମତ ଦେଇ ବିବାଦ ସୃଷ୍ଟି କରିଥିଲେ।

ଗତ ସପ୍ତାହରେ ସେ ନିଜର ଏହି ପୁରୁଣା ଦାବିକୁ ଦୋହାରିଛନ୍ତି। ଉତ୍ତର ବେଙ୍ଗଲରୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ଦେବାକୁ ସେଠାକାର ଲୋକମାନେ ଚାହୁଁଥିବା ସେ କହିଛନ୍ତି।

ଜନ୍‌ଙ୍କ ଏହି ବୟାନକୁ ଦିଲୀପ ଘୋଷ ସମର୍ଥନ କରିବାରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଥିଲେ ଯେ ଯଦି ସ୍ୱତନ୍ତ୍ର ଉତ୍ତର ବେଙ୍ଗଲ କିମ୍ବା ଜଙ୍ଗଲମହଲ ଦାବି ତୀବ୍ର ହେବ ଓ ଜନସମର୍ଥନ ପାଇବ, ତା’ହେଲେ ଏଥିପାଇଁ ମମତା ବାନାର୍ଜୀ ହିଁ ଉତ୍ତରଦାୟୀ ରହିବେ। ଏପରି ବୟାନକୁ ନେଇ ବିବାଦ ଉପୁଜିବାରୁ ଜନ ଦେଇଥିବା ସ୍ୱତନ୍ତ୍ର ଉତ୍ତର ବେଙ୍ଗଲ ଗଠନ ତାଙ୍କ ନିଜସ୍ୱ ଓ ଏଥିରେ ଦଳର କୌଣସି ଭୂମିକା ନାହିଁ ବୋଲି ଶ୍ରୀ ଘୋଷ ସଫେଇ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।