ରାହୁଲ ଗାନ୍ଧିଙ୍କ ସହ ଚାଲିଲେ ଅଭିନେତ୍ରୀ ରିୟା ସେନ୍‌

ଅକୋଲା: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ କରୁଥିବା ଭାରତ ଯୋଡ଼ ଯାତ୍ରାରେ ଆଜି ସାମିଲ ହୋଇଛନ୍ତି ଅଭିନେତ୍ରୀ ରିୟା ସେନ। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଏହି ପଦଯାତ୍ରା ଶେଷ ହେବା ପରେ ଏବେ ରାହୁଲ ଗାନ୍ଧି ଆଣ୍ଡ କୋ ମହାରାଷ୍ଟ୍ରରେ ପହଞ୍ଚିଛନ୍ତି।

ଆଜି ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ଅଭିନେତ୍ରୀ ରିୟା ସେନଙ୍କୁ ଦେଖିବାକୁ ମିଳିଛି। ସେ ରାହୁଲ ଗାନ୍ଧିଙ୍କ ସହ ପାଦରେ ପାଦ ମିଶାଇ ଢେର ବାଟ ଚାଲିଛନ୍ତି।

ଏହାପୂର୍ବରୁ ଅଭିନେତ୍ରୀ ପୂଜା ଭଟ୍ଟ ମଧ୍ୟ ହାଇଦ୍ରାବାଦରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ। ଆଜି ରିୟା ସେନ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିବା ବେଳର ଫଟୋକୁ କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଛି। କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାର ଆଜି ହେଉଛି ୭୧ ତମ ଦିନ।

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଓ ରିୟା ସେନ ଏକାଠି ଚାଲୁଥିବା ବେଳର ଫଟୋ ଓ ଭିଡିଓକୁ ଟ୍ୱିଟ କରାଯାଇଛି। ଏଥିରେ କୁହାଯାଇଛି ଯେ “ଲୋକମାନେ ସାମିଲ ହେଉଥିବା ବେଳେ ଭୟ ଦୂର ହେଉଛି। ନୂଆ ସୂର୍ଯ୍ୟ ଖୁବଶୀଘ୍ର ଉଦୟ ହେବେ। ଆଜି ଭାରତ ଯୋଡ଼ ଯାତ୍ରାରେ ଅଭିନେତ୍ରୀ ରିୟା ସେନ ସାମିଲ ହୋଇଛନ୍ତି।”


ରିୟା ସେନ ମଧ୍ୟ ଭାରତ ଯୋଡ଼ ଯାତ୍ରା ସମ୍ପର୍କରେ ନିଜର ବିଚାରକୁ ସୋଶାଲ ମିଡିଆରେ ପ୍ରକାଶ କରିଛନ୍ତି। ୪୧ ବର୍ଷୀୟ ରିୟା କହିଛନ୍ତି, “କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ, ଜଣେ ଗର୍ବିତ ନାଗରିକ ହିସାବରେ ଏହି ପ୍ଲାଟଫର୍ମରେ ସାମିଲ ହୋଇ ବେଶ ଖୁସି।” ଏହାର ପୂର୍ବ ପୋଷ୍ଟରେ ସେ ଭାରତ ଯୋଡ଼ ଯାତ୍ରାକୁ ଏକତାର ପ୍ରତୀକ ଭାବେ ମଧ୍ୟ ଦର୍ଶାଇଥିଲେ।

କେନ୍ଦ୍ର ସରକାରଙ୍କ ନୀତି ଓ ଦେଶରେ ସୃଷ୍ଟି ହୋଇଥିବା ବିଦ୍ୱେଷ ପରିବେଶକୁ ଦୂର କରିବା ପାଇଁ କଂଗ୍ରେସ ସେପ୍ଟେମ୍ବର ୭ରୁ ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ କରିଛି। ଏହା ବିଭିନ୍ନ ଦକ୍ଷିଣ ପ୍ରାନ୍ତ ରାଜ୍ୟଗୁଡ଼ିକରେ ଆୟୋଜିତ ହେବା ପରେ ନଭେମ୍ବର ୭ରେ ମହାରାଷ୍ଟ୍ରର ନାନ୍ଦେନ୍ଦ ଜିଲ୍ଲାରେ ପ୍ରବେଶ କରିଛି।

ଗୁରୁବାର ସକାଳ ୬ଟାରୁ ପଦଯାତ୍ରା ପାତୁରରୁ ଆରମ୍ଭ ହୋଇଛି। ଏହା ବାଲାପୁର ଦେଇ ଶୁକ୍ରବାର ସକାଳ ସୁଦ୍ଧା ବୁଲଧାନା ଜିଲ୍ଲାର ଶେଗାଓଁରେ ପହଞ୍ଚିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।