ନୀତୀଶ କୁମାରଙ୍କୁ ସମର୍ଥନ କରିବାକୁ ଖୋଲା ଅଫର ଦେଲା ବିରୋଧୀ ଆରଜେଡି

ପାଟନା: ବିହାର ବିଧାନସଭାରେ ନୀତୀଶ କୁମାର ସରକାରଙ୍କୁ ସମର୍ଥନ କରିବ ବୋଲି ଖୋଲା ଅଫର ଦେଇଛି ଲାଲୁ ପ୍ରସାଦ ଯାବଦଙ୍କ ଆରଜେଡି। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ଆଭିମୁଖ୍ୟ ସ୍ପଷ୍ଟ କଲେ ଆରଜେଡି ତାଙ୍କୁ ଓ ତାଙ୍କ ଦଳକୁ ବିଧାନସଭାରେ ସମର୍ଥନ କରିବ। ଏକଥା ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ କହିଛନ୍ତି। ସେ କହିଛନ୍ତି,“ନୀତୀଶ କୁମାର ହେଉଛନ୍ତି ବିହାରର ମୁଖ୍ୟମନ୍ତ୍ରୀ। ଯଦି ବିଜେପି ମନ୍ତ୍ରୀମାନେ ତାଙ୍କୁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିରୋଧ […]

Nitish-Kumar

Nitish-Kumar

Hemant Lenka
  • Published: Friday, 07 January 2022
  • Updated: 07 January 2022, 05:45 PM IST

ପାଟନା: ବିହାର ବିଧାନସଭାରେ ନୀତୀଶ କୁମାର ସରକାରଙ୍କୁ ସମର୍ଥନ କରିବ ବୋଲି ଖୋଲା ଅଫର ଦେଇଛି ଲାଲୁ ପ୍ରସାଦ ଯାବଦଙ୍କ ଆରଜେଡି। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ଆଭିମୁଖ୍ୟ ସ୍ପଷ୍ଟ କଲେ ଆରଜେଡି ତାଙ୍କୁ ଓ ତାଙ୍କ ଦଳକୁ ବିଧାନସଭାରେ ସମର୍ଥନ କରିବ। ଏକଥା ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ କହିଛନ୍ତି।

ସେ କହିଛନ୍ତି,“ନୀତୀଶ କୁମାର ହେଉଛନ୍ତି ବିହାରର ମୁଖ୍ୟମନ୍ତ୍ରୀ। ଯଦି ବିଜେପି ମନ୍ତ୍ରୀମାନେ ତାଙ୍କୁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିରୋଧ କରୁଛନ୍ତି, ତା’ହେଲେ ସେମାନଙ୍କୁ ସେ କ୍ୟାବିନେଟରୁ ବହିଷ୍କାର କରନ୍ତୁ। ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ବେଳେ ନୀତୀଶ କୁମାର ଓ ତାଙ୍କ ଦଳକୁ ଆରଜେଡି ଖୋଲାଖୋଲି ଭାବେ ସମର୍ଥନ କରିବ।”

ଜଗଦାନନ୍ଦଙ୍କ ମତରେ ଆରଜେଡି ନେତା ତେଜସ୍ୱୀ ଯାଦବ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଆରମ୍ଭରୁ ରହିଛନ୍ତି। ସେ ପ୍ରଥମ ବ୍ୟକ୍ତି ଭାବେ ଗତବର୍ଷ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା ବି କରିଥିଲେ। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ନୀତୀଶ କୁମାର ଏକୁଟିଆ ବୋଲି ଭାବନ୍ତୁ ନାହିଁ। ଆରଜେଡି ଏହି ପ୍ରସଙ୍ଗରେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି।

ବିହାର ବିଧାନସଭାରେ ଆରଜେଡିର ୭୫ ଜଣ ବିଧାୟକ ଅଛନ୍ତି। ନୀତୀଶ କୁମାରଙ୍କ ଦଳ ୪୫ଟି ଆସନରେ ଜିତିଥିବା ବେଳେ ବିଜେପିର ୭୪ ଜଣ ବିଧାୟକ ରହିଛନ୍ତି। ନୀତୀଶ କୁମାର ବିଜେପିର ୭୪, ଏଚଏଏମର ୪ ଓ ଭିଆଇପିର ୩ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛନ୍ତି।

କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ସପକ୍ଷରେ ନାହାନ୍ତି। ହେଲେ ନୀତୀଶ କୁମାର ବାରମ୍ବାର ଏପରି ଜନଗଣନା କରିବାକୁ ଦାବି କରୁଛନ୍ତି। ସେହିପରି ବିହାର ସରକାରଙ୍କ ଅର୍ଥରେ ଜାତିଭିତ୍ତିକ ଜନଗଣନା ପାଇଁ ନୀତୀଶ କୁମାର ଘୋଷଣା କରିଛନ୍ତି। ସେ ଏହି ପ୍ରକ୍ରିୟାରେ ବିଳମ୍ବ ପାଇଁ ସୋମବାର ଖୋଲାଖୋଲି ଭାବେ ବିଜେପିକୁ ଦାୟୀ କରିଥିଲେ। ସବୁ ଦଳ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଥିବା ବେଳେ ବିଜେପି ଏହାକୁ ବିରୋଧ କରୁଛି। ଏସବୁ ଭିତରେ ଆରଜେଡି ନୀତୀଶ କୁମାରଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛି।

ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା କହିଛନ୍ତି, “ଏହି ପ୍ରସଙ୍ଗରେ ଜଗଦା ବାବୁ(ଜଗଦାନନ୍ଦ ସିଂହ) ଦେଇଥିବା ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ। ରାଜ୍ୟରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଆମେ ରହିଛୁ। ନୀତୀଶ କୁମାର ସରକାର ନିଶ୍ଚିତ ଏହା କରିବେ। ବିହାରରେ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗକୁ ବିଜେପି କେବେ ହେଲେ ମନା କରିନି।”

ବିଜେପି ଓବିସି ୱିଙ୍ଗ ସାଧାରଣ ସମ୍ପାଦକ ତଥା ମୁଖ୍ୟପାତ୍ର ନିଖିଲ ଆନନ୍ଦ ଆରଜେଡିର ଏପରି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆରଜେଡି କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖୁଛି। ଏହାର ନେତାମାନେ ନୀତୀଶ କୁମାରଙ୍କୁ ଅଫର ଦେବା ଆରମ୍ଭ କରିଛନ୍ତି। ଯାହା ଲାଗୁଛି ଆରଜେଡି ନେତାମାନେ ଏବେ ଆର୍ଥିକ ସମସ୍ୟାରେ ପଡ଼ିଛନ୍ତି। ତେଣୁ ସେମାନେ ଏପରି କଥା କହୁଛନ୍ତି। ଆରଜେଡି ହେଉଛି ଗୋଟିଏ ପରିବାରର ଦଳ। ଏହା ଖୁବଶୀଘ୍ର ଧ୍ୱଂସ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos