ସାମାନ୍ୟ ସଡ଼କ ଦୁର୍ଘଟଣାକୁ ନେଇ ସାଂପ୍ରଦାୟିକ ଦଙ୍ଗା, ୧୯ ଜଣଙ୍କୁ ବାନ୍ଧିଲା ପୁଲିସ

ଭଦଦୋରା: ସାମାନ୍ୟ ସଡ଼କ ଦୁର୍ଘଟଣାକୁ ନେଇ ଗୁଜରାଟର ଭଦଦୋରାରେ ତୀବ୍ର ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀମାନେ ପରସ୍ପରକୁ ପଥର ମାଡ଼ କରିବା ସହ ଗୋଟିଏ ଧର୍ମପୀଠରେ ଭଙ୍ଗାରୁଜା କରିଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଗାଡ଼ିମୋଟର ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହି ସାଂପ୍ରଦାୟିକ ମାରପିଟ ଘଟଣାରେ ୩ ଜଣ ଆହତ ହୋଇଥିବା ପୁଲିସ୍ କହିଛି।

ରବିବାର ରାତିରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ଘଟଣାରେ ପୁଲିସ୍ ଏଯାଏ ୧୯ ଜଣଙ୍କୁ ଓ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ମୋଟର ସାଇକେଲ ଧକ୍କାକୁ ନେଇ ହିଁ ପୂରା ଗଣ୍ଡଗୋଳ ଘଟଣାର ସୂତ୍ରପାତ ହୋଇଥିଲା ବୋଲି ପୁଲିସ୍‌ ସୂଚନା ଦେଇଛି। ଆଡିସନାଲ କମିଶନର ଅଫ ପୁଲିସ୍ ଚିରାଗ କୋରାଡିଆ କହିଛନ୍ତି, ମାରପିଟ ଘଟଣାରେ ମୋଟ ୩ ଜଣ ଆହତ ହୋଇଛନ୍ତି।

ସହରର ରାଓପୁରା ଅଞ୍ଚଳରେ ପ୍ରଥମେ ଦୁଇଟି ମୋଟର ସାଇକେଲ ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଦୁଇ ସଂପ୍ରଦାୟରର ଯୁବକ ରହିଥିଲେ। ବାସ୍‌ ଏହି ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ସଂପ୍ରଦାୟର ମଧ୍ୟରେ ମାରପିଟ ହୋଇଛି। ଘଟଣାର କିଛି ସମୟ ପରେ ହଠାତ୍‌ ଦୁଇ ସଂପ୍ରଦାୟର ଶହଶହ ଲୋକ କାରେଲିବାଗ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ। ସେମାନେ ପରସ୍ପରକୁ ପଥର ମାଡ଼ କରିବାରୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା।

ଦଙ୍ଗାକାରୀମାନେ ରାସ୍ତା କଡ଼ରେ ଥିବା ଗୋଟିଏ ଧର୍ମପୀଠ ଉପରେ ଆକ୍ରମଣ କରିଛନ୍ତି। ସେହିପରି ଦୁଇଟି ଅଟୋ ରିକ୍ସା ଓ ଦୁଇଟି ବାଇକକୁ ଭାଙ୍ଗି ଦେଇଛନ୍ତି। ଘଟଣା ପରେ ରାଓପୁରା ଓ କାରେଲିବାଗ ପୁଲିସ୍‌ ଷ୍ଟେସନରେ ଦୁଇଟି ଏଫଆଇଆର ହୋଇଛି। ସେହିପରି ଏଯାଏ ମୋଟ ୨୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଦଙ୍ଗାକାରୀଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ଗତକାଲି ରାତିରୁ ହିଁ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରାଯାଇଥିଲା।

ଏବେ ବି ଅପରେସନ ଜାରି ରହିଛି। ସ୍ଥିତି ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟରେ ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ଦୁଇ କମ୍ପାନୀ ଏସ୍ଆରପି ମୁତୟନ ହୋଇଛି। ସେହିପରି ସବୁ ପୁଲିସ ଷ୍ଟେସନ ଅଧୀନରେ ପ୍ୟାଟ୍ରୋଲିଂକୁ ଜୋରଦାର କରାଯାଇଥିବା ଏସିପି ଚିରାଗ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।