ଦୁଇ ଦିନରେ ଆଦାୟ ହେଲା ୧.୫୪ କୋଟି ଟଙ୍କାର ‘କରୋନା ଫାଇନ୍‌’

ନୂଆଦିଲ୍ଲୀ: ସରକାର ଓ ସ୍ଥାନୀୟ ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ଲୋକମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନୁ ନାହାନ୍ତି। ଏବେ ଓମିକ୍ରନ ଭାରିଏଣ୍ଟ ଚିନ୍ତା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ କଟକଣା ମଧ୍ୟ ଲାଗୁ କରାଯାଉଛି। ଉଲ୍ଲଙ୍ଘନକାରୀଙ୍କ ଠାରୁ ବିପୁଳ ପରିମାଣର ଫାଇନ ମଧ୍ୟ ଆଦାୟ କରାଯାଉଛି।

ଏହିକ୍ରମରେ ରାଜଧାନୀ ଦିଲ୍ଲୀରେ ପ୍ରଶାସନ ୨ ଦିନ ଭିତରେ କରୋନା କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଲୋକଙ୍କ ଠାରୁ ୧.୫୪ କୋଟି ଟଙ୍କାର ଫାଇନ ଆଦାୟ କରିଛି। କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରିଥିବା ୭,୭୭୮ ଜଣଙ୍କ ଠାରୁ ଏପରି ଅର୍ଥ ଆଦାୟ କରାଯାଇଛି।

ଫାଇନ ବ୍ୟବତୀତ ନିୟମ ଉଲ୍ଲଙ୍ଘନ ପାଇଁ ୧୬୩ଟି ଏଫଆଇଆର ରୁଜୁ କରାଯାଇଛି। ପୂର୍ବ ଦିଲ୍ଲୀରେ ୧୨୪୫ ନିୟମ ଉଲ୍ଲଙ୍ଘନ ମାମଲା ରେକର୍ଡ କରାଯାଇଥିବା ବେଳେ ଉତ୍ତରରେ ଏହି ସଂଖ୍ୟା ୧୪୪୬ ରହିଛି। ସାମାଜିକ ଦୂରତା, ଅଯଥା ଭିଡ଼ ଓ ମାସ୍କ ନ ପିନ୍ଧିବା ଯୋଗୁ ମୋଟ ୭୭୭୮ଟି ମାମଲାରେ ୧.୫୪ କୋଟି ଟଙ୍କାର ଫାଇନ କଟା ଯାଇଛି।

ବୁଧବାର ଓ ଗୁରୁବାର ଆଦାୟ ହୋଇଥିବା ଫାଇନା ବିଗତ କିଛି ସପ୍ତାହ ମଧ୍ୟରେ ସର୍ବାଧିକ। କିଛି ଦିନ ତଳେ ସରୋଜିନ ମାର୍କେଟର ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ମାର୍କେଟରେ ଲୋକମାନେ କରୋନା ନିୟମର ଧଜି୍ରଆ ଉଡ଼ାଇ ଏକାଠି ହୋଇଥିଲେ। ଏହା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା। ଉପ ରାଜ୍ୟପାଳ ଅନୀଲ ବୈଜଲ ମଧ୍ୟ ଭିଡ଼କୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଦିଲ୍ଲୀରେ ଥିବା ମାର୍କେଟ, ବାର ଓ ରେଷ୍ଟୁରାଣ୍ଟରେ ଲୋକମାନେ ସଂକ୍ରମଣ ବଢ଼ିବା ସତ୍ତ୍ୱେ ଭିଡ଼ କରୁଥିବା ରାଜଭବନ ପକ୍ଷରୁ କୁହାଯାଇଥିଲା। ଶୁକ୍ରବାର ଦିଲ୍ଲୀରେ ମୋଟ ୧୮୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହା ୬ ମାସ ମଧ୍ୟରେ ସର୍ବାଧିକ। ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।