୨ ବର୍ଷ ହେଲା ଛପା ହେଉନି ୨ ହଜାର ଟଙ୍କିଆ ନୋଟ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୨୦୧୬ ମସିହା ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ନୂଆ ୨ ହଜାର ଟଙ୍କିଆ ନୋଟ୍‌ର ଛପା ଉପରେ ସରକାର ରୋକ ଲଗାଇ ଦେଇଛନ୍ତି। ଦୀର୍ଘ ୨ ବର୍ଷ ହେଲା କୌଣସି ପ୍ରକାରର ୨ ହଜାର ଟଙ୍କିଆ ନୋଟ୍‌ ଛପା ଯାଇନାହିଁ ବୋଲି ଆଜି କେନ୍ଦ୍ର ସରକାର ଲୋକସଭାକୁ ଜଣାଇଛନ୍ତି।

ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ୨୦୧୮ ମାର୍ଚ୍ଚ ୩୦ ସୁଦ୍ଧା ୩,୩୬୨ ନିୟୁତ ୨ ହଜାର ଟଙ୍କିଆ ନୋଟ୍‌ ବଜାରରେ ପ୍ରଚଳିତ ଥିଲା। ୨୦୨୧ ଫେବୃଆରୀ ସୁଦ୍ଧା ମାର୍କେଟରେ ୨୪୯୯ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳିତ ହେଉଥିଲା।

ଭାରତ ସରକାର ଓ ଆରବିଆଇ ଲୋକଙ୍କ ଚାହିଦାକୁ ଦେଖି କେଉଁ ନୋଟ ଛପା ଯିବ, ତା’ର ନିଷ୍ପତ୍ତି ନେଇଥାଆନ୍ତି। ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ପ୍ରକାରର ୨ ହଜାର ଟଙ୍କିଆ ନୋଟ୍ ଛପା ଯାଇନାହିଁ। ନୋଟ ଛାପିବା ପାଇଁ ଭାରତ ସରକାର ଓ ଆରବିଆଇ ପ୍ରିଣ୍ଟଂ ପ୍ରେସକୁ ନିର୍ଦ୍ଦେଶ ଦେଇନାହାନ୍ତି ବୋଲି ସେ କହିଛନ୍ତି। ତେବେ କ’ଣ ପାଇଁ ୨ ହଜାର ଟଙ୍କିଆ ନୋଟ ଛପା ଯାଉନି, ତା’ର କାରଣରେ କିଛି ବି ଉତ୍ତର ମିଳିନାହିଁ।

୨୦୧୯ରେ ଆରବିଆଇ କହିଥିଲା ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ ୩,୫୪୨.୯୯୯ ନିୟୁତର ୨ ହଜାର ଟଙ୍କିଆ ନୋଟ ଛପା ଯାଇଥିଲା। କିନ୍ତୁ ୨୦୧୭୦୧୮ରେ ଏହା ୧୧୧.୫୦୭ ନିୟୁତ ଓ ୨୦୧୮-୧୯ରେ ୨ ହଜାର ଟଙ୍କିଆ ନୋଟର ଛପା ପରିମାଣ ୪୬.୬୯୦ ନିୟୁତକୁ ଖସି ଆସିଥିଲା।

୨୦୧୯ ଏପ୍ରିଲ ପରଠାରୁ ଆଉ କୌଣସି ପ୍ରକାରର ୨ ହଜାର ଟଙ୍କିଆ ନୋଟ୍‌ ଛପା ଯାଇନାହିଁ। କୁହାଯାଉଛି ଅତି ଉଚ୍ଚ ମୂଲ୍ୟର ନୋଟ୍‌କୁ ଗଚ୍ଛିତ କରି ରଖିବାକୁ ସୁବିଧା ହେଉଥିବାରୁ କଳାଧନ କାରବାର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି କାରଣରୁ ସମ୍ଭବତଃ ଭାରତ ସରକାର ଅଧିକ ପରିମାଣର ୨ ହଜାର ଟଙ୍କିଆ ନୋଟ ଛାପୁ ନାହାନ୍ତି।

୨୦୧୬ରେ ଭାରତ ସରକାର ବଜାରରେ ପ୍ରଚଳିତ ହେଉଥିବା ପୁରୁଣା ୫ ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ନୋଟ ଉପରେ ରୋକ ଲଗାଇ ଦେଇଥିଲେ। ଏହାପରେ ବଜାରକୁ ନୂଆ ୫ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ବଦଳରେ ୨ ହଜାର ଟଙ୍କିଆ ନୋଟ୍‌ ଆସିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।