ଗେମିଂ ଆପ୍‌ ଦୁର୍ନୀତି: ଜବତ ହେଲାଣି ନଗଦ ୭ କୋଟି ଟଙ୍କା

କୋଲକାତା: ମୋବାଇଲ ଗେମିଂ ଆପ୍‌ ଜରିଆରେ କୋଟିକୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ମିଳିଛି ବଡ଼ ସଫଳତା। ଇଡି ଏହି ମାମଲାର ଯାଞ୍ଚ କରୁଥିବା ବେଳେ କୋଲକାତାର ୬ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ବ୍ୟାଙ୍କ ଅଧିକାରୀଙ୍କ ସହ ଇଡି ଟିମ୍‌ ମିଳିତ ଭାବେ ଶନିବାର ଠାରୁ କୋଲକାତାର ଗାର୍ଡେନ  ରିଚ୍‌ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଆମୀର ଖାନଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରାଯାଉଛି। ଏହି ସମୟରେ ତାଙ୍କ ଠିକଣାରୁ ଏଯାଏ ନଗଦ ୭ କୋଟି ଟଙ୍କା ଓ ଅନେକ ସମ୍ପତ୍ତି ଦସ୍ତାବିଜ୍‌ ଜବତ କରାଯାଇ ସାରିଲାଣି। ଏବେ ବି ରେଡ୍‌ ଜାରି ରହିଛି ଓ ଜବତ ଟଙ୍କାକୁ ଗଣିବା ପାଇଁ କାଉଣ୍ଟିଂ ମେସିନ ମଧ୍ୟ ଅଣାଯାଇଛି। ତେଣୁ ଆମୀରଙ୍କ ଠିକଣାରୁ ଅଧିକ ପରିମାଣରୁ ନଗଦ ଟଙ୍କା ମିଳିବାର ସମ୍ଭାବନା ରହିଛି। ଇଡି ରେଡ୍‌ କରୁଥିବାରୁ ଆମୀରଙ୍କ ଘର ପାଖରେ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଛି।

E-Nuggets ନାମକ ଗେମିଂ ଆପ୍‌ ଜରିଆରେ ଲୋକଙ୍କୁ ଠକା ଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଫେଡରାଲ ବ୍ୟାଙ୍କ ପକ୍ଷରୁ ବ୍ୟବସାୟୀ ଆମୀର ଖାନ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଡିକୁ ସୂଚନା ଦିଆଯାଇଥିଲା। ଏହି ଅଭିଯୋଗକୁ ଆଧାର କରି ଇଡି ପିଏମଏଲଏ ଅନୁସାରେ ମାମଲା ରୁଜୁ କରିଥିଲା। ସେହି ଅନୁସାରେ ରେଡ୍‌ କରାଯାଉଛି।

ଇଡି ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଆମୀର ଖାନ E-Nuggets ନାମକ ଗୋଟିଏ ଗେମିଂ ଆପ୍‌ ଲଞ୍ଚ କରିଥିଲେ। ଏହି ଆପ୍‌ ଜରିଆରେ ୟୁଜର୍ସମାନଙ୍କୁ ପ୍ରଥମେ କମିସିନ ଦିଆଯାଉଥିଲା ଓ ୱାଲେଟରୁ ସେମାନେ ବେଶ ସହଜରେ ଟଙ୍କା ଉଠାଇ ପାରୁଥିଲେ।

ଏହାଦ୍ୱାରା ଆପ୍‌ ଉପରେ ୟୁଜର୍ସଙ୍କ ବିଶ୍ୱାସ ବଢ଼ିଥିଲା। ଏଥିପାଇଁ ସେମାନେ ଅଧିକ ଟଙ୍କା ପାଇଁ ମୋଟା ଅଙ୍କର ଅର୍ଥ ନିବେଶ କରିଥିଲେ। ଲୋକମାନେ ବିପୁଳ ପରିମାଣର ଟଙ୍କା ଲଗାଇବାରୁ ସଂପୃକ୍ତ ଆପ୍‌ ହଠାତ୍‌ ଉଠାଣ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲା। ବିଭିନ୍ନ ଆଳ ଦେଖାଇ ଆପ୍‌ ପରିଚାଳନା କରୁଥିବା ଲୋକମାନେ ଆଉ ୟୁଜର୍ସଙ୍କୁ ଟଙ୍କା ଫେରସ୍ତ କରି ନଥିଲେ। ଶେଷରେ ସଂପୃକ୍ତ ଆପ୍‌ରୁ ପ୍ରୋଫାଇଲ ତଥ୍ୟ ସହ ସମସ୍ତ ତଥ୍ୟକୁ ଗାଏବ କରି ଦିଆଯାଇଥିଲା।

ଏହାକୁ ଦେଖି ୟୁଜର୍ସମାନେ ଠକାମୀର ଶିକାର ହୋଇଥିବା ଅନୁଭବ କରିଥିଲେ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଇଡି କହିଛି। ଏଥିସହ ଇଡି ପକ୍ଷରୁ ଏହି ଆପ୍‌ର ଲିଙ୍କ ଚାଇନିଜ ଠକେଇ ଆପ୍‌ ସହ ରହିଛି କି ନାହିଁ, ତା’ର ମଧ୍ୟ ଖୋଳତାଡ଼ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।