ଦିନକରେ ୮୪ ମିଶାଇଲ ମାଡ଼ କଲା ରୁଷ, ଘରୁ ନ ବାହାରିବାକୁ ଭାରତୀୟଙ୍କୁ ପରାମର୍ଶ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଆହୁରି ଭୟଙ୍କର ହୋଇ ଉଠିଛି। ୮ ତାରିଖରେ କ୍ରିମିଆ ବ୍ରିଜ୍‌ ଉପରେ ହୋଇଥିବା ବିସ୍ଫୋରଣର ବଦଲା ଆଜି ରୁଷ ମିଶାଇଲ ମାଡ଼ କରି ନେଇଛି। ୟୁକ୍ରେନର ରାଜଧାନୀ କିଭ୍‌ ସମେତ ପ୍ରାୟ ସବୁ ସହରରେ ଆଜି ରୁଷ ୮୪ଟି କ୍ରୁଜ୍‌ ମିଶାଇଲ ମାଡ଼ କରିଛି। ଏହି ମିଶାଇଲ ମାଡ଼ରେ ପ୍ରାୟ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ରୁଷର ମିଶାଇଲ ପାର୍କ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଫୁଟବ୍ରିଜ୍‌ ଉପରେ ମାଡ଼ ହେବାରୁ ଏଗୁଡ଼ିକ ଛିନଛତ୍ର ହୋଇଯାଇଛି। ଏଥିପାଇଁ ୟୁକ୍ରେନ ସରକାର ଦେଶବାସୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ଥିତିକୁ ଦେଖି ଭାରତ ସରକାର ମଧ୍ୟ ୟୁକ୍ରେନରେ ଥିବା ନିଜ ଦେଶର ନାଗରିକଙ୍କୁ ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତିକୁ ନେଇ ଭାରତ ସରକାର ଚିନ୍ତିତ। ଭାରତୀୟ ନାଗରିକଙ୍କୁ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନକୁ ଓ ୟୁକ୍ରେନ ଭିତରେ ଅଯଥା ଯାତ୍ରା କରିବାକୁ ବାରଣ କରାଯାଉଛି। ସେମାନେ ୟୁକ୍ରେନ ସରକାର ଜାରି କରିଥିବା ସୁରକ୍ଷା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହ ଭାରତୀୟ ଦୂତାବାସକୁ ସେମାନେ କେଉଁଠି ରହୁଛନ୍ତି, ତା’ର ସୂଚନା ମଧ୍ୟ ଦିଅନ୍ତୁ। ଦରକାର ପଡ଼ିଲେ ଦୂତାବାସ ଅଧିକାରୀ ଭାରତୀୟଙ୍କ ପାଖରେ ପହଞ୍ଚିବେ ବୋଲି ବିବୃତିରେ କୁହାଯାଇଛି।


ଫେବୃଆରୀ ୨୪ରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ହେଲେ ଜୁନ୍‌ ଶେଷ ଭାଗରୁ ଏହି ଯୁଦ୍ଧର ତୀବ୍ରତା ହ୍ରାସ ପାଇଥିଲା। କିନ୍ତୁ ସୋମବାର ରୁଷ ତା’ର ଆକ୍ରମଣକୁ ଜୋରଦାର କରିଛି। ଅକ୍ଟୋବର ୮ରେ ମସ୍କୋ ଓ କ୍ରିମିଆକୁ ସଂଯୋଗ କରୁଥିବା ବ୍ରିଜ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହା ପଛରେ ୟୁକ୍ରେନ ଥିବା ରୁଷ ଅଭିଯୋଗ କରିଛି।

ଏଥିପାଇଁ ଆଜି ରୁଷ ସେନା ଆକାଶ, ସ୍ଥଳ ଓ ଜଳପଥରୁ ମିଶାଇଲ ମାଡ଼ କରିଛନ୍ତି। ରୁଷର ମିଶାଇଲ ମାଡ଼ରୁ ଏଯାଏ ସୁରକ୍ଷିତ ଥିବା ୟୁକ୍ରେନ ରାଜଧାନୀ କିଭ୍‌ ମଧ୍ୟ ଆଜି ବିସ୍ଫୋରଣରେ ଥରି ଉଠିଛି। ଏଠାରେ ରୁଷ ୩ଟି ମିଶାଇଲ ଘନଘଡ଼ ମାଡ଼ କରିଥିବା ଜଣାପଡ଼ିଛି।

ରୁଷର ଆଜି ମିଶାଇଲ ମାଡ଼ ସମ୍ପର୍କରେ ୟୁକ୍ରେନ ଆର୍ମି ତଥ୍ୟ ସାର୍ବଜନୀନ କରିଛି। ୟୁକ୍ରେନ ସେନା କହିଛି ଯେ ଆଜି ରୁଷ ପକ୍ଷରୁ ୮୪ଟି କ୍ରୁଜ ମିଶାଇଲ ଦ୍ୱାରା କିଭ୍‌ ସମେତ ଏକାଧିକ ସ୍ଥାନରେ ହମଲା କରାଯାଇଛି। ଏଥିରେ ୧୦ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ରୁଷ ପକ୍ଷରୁ ଇରାନ ପକ୍ଷରୁ ତିଆରି କରାଯାଇଥିବା ଡ୍ରୋନ ଦ୍ୱାରା ଆଟାକ କରାଯାଇଛି। ଏହାକୁ ବେଲାରୁଷ ପକ୍ଷରୁ ମସ୍କୋକୁ ଦିଆଯାଇଥିଲା। ଶତ୍ରୁପକ୍ଷ ଇରାନର Shahed-136 UAVs ଦ୍ୱାରା ବେଲାରୁଷ ଓ କ୍ରିମିଆରୁ ଆଟାକ କରାଯାଇଛି।


ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନୟସ ଶ୍ୟାମଗଲ କହିଛନ୍ତି, ୮ଟି ରିଜନରେ ଥିବା ୧୧ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥା ରୁଷର ମିଶାଇଲ ମାଡ଼ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। କିଭରେ ମିଶାଇଲ ମାଡ଼ ଯୋଗୁ ବିଜୁଳି, ପାଣି ଓ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି, ଯୁଦ୍ଧ ପଡ଼ିଆରେ ହାରି ହତାଶ ହୋଇପଡ଼ିଥିବା ରୁଷ ରାଷ୍ଟ୍ରପତି ଆଜି ଏପରି ମିଶାଇଲ ମାଡ଼ କରିଛନ୍ତି। ହେଲେ ୟୁକ୍ରେନ ସେନା କେବେ ହାର ମାନିବେନାହିଁ।

ଅନ୍ୟକ୍ଷରେ ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଡଭେଡେଭ ୟୁକ୍ରେନକୁ ଧମକ ଦେଇ କହିଛନ୍ତି, ଏପରି ସିରିଜ ମିଶାଇଲ ମାଡ଼ କେବଳ ପ୍ରଥମ ଅଧ୍ୟାୟ। ବର୍ତ୍ତମାନ ପ୍ରଥମ ଅଧ୍ୟାୟ ଗଲା। ଆଗକୁ ଆହୁରି କିଛି ଆସିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।