ସିନ୍ଧିଆ ଓ ଜିତିନଙ୍କ ପରେ ସଚିନ ପାଇଲଟ ଛାଡ଼ିବେ କି କଂଗ୍ରେସ?

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ କଂଗ୍ରେସ ହେଭିୱେଟ ଦଳ ଛାଡ଼ି ବିଜେପିରେ ମିଶିବାରେ ଲାଗିଛନ୍ତି। ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ବେଳେ ଆଜି ଜିତିନ ପ୍ରସାଦ ସମାନ ପଦକ୍ଷେପ ନେଇଛନ୍ତି। ଜିତିନ ପ୍ରସାଦ ବିଜେପିରେ ମିଶିବା ପରେ ସଚିନ ପାଇଲଟଙ୍କ ନାଁ ଟ୍ରେଣ୍ଡିଂ କରିବାରେ ଲାଗିଛି। ଅନେକ ସୋଶାଲ ମିଡିଆ ବ୍ୟବହାରକାରୀ ସଚିନ ପାଇଲଟ ମଧ୍ୟ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି କହିବାରେ ଲାଗିଛି। ଏହା ପଛରେ ମଧ୍ୟ ଉପଯୁକ୍ତ କାରଣ ରହିଛି। […]

sachin-Pilot

sachin-Pilot

Hemant Lenka
  • Published: Wednesday, 09 June 2021
  • Updated: 09 June 2021, 05:54 PM IST

Sports

Latest News

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ କଂଗ୍ରେସ ହେଭିୱେଟ ଦଳ ଛାଡ଼ି ବିଜେପିରେ ମିଶିବାରେ ଲାଗିଛନ୍ତି। ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ବେଳେ ଆଜି ଜିତିନ ପ୍ରସାଦ ସମାନ ପଦକ୍ଷେପ ନେଇଛନ୍ତି। ଜିତିନ ପ୍ରସାଦ ବିଜେପିରେ ମିଶିବା ପରେ ସଚିନ ପାଇଲଟଙ୍କ ନାଁ ଟ୍ରେଣ୍ଡିଂ କରିବାରେ ଲାଗିଛି। ଅନେକ ସୋଶାଲ ମିଡିଆ ବ୍ୟବହାରକାରୀ ସଚିନ ପାଇଲଟ ମଧ୍ୟ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି କହିବାରେ ଲାଗିଛି। ଏହା ପଛରେ ମଧ୍ୟ ଉପଯୁକ୍ତ କାରଣ ରହିଛି।

ଗତବର୍ଷ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ସଚିନ ପାଇଲଟ ଦଳ ମଧ୍ୟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଗାନ୍ଧି ପରିବାର ତାଙ୍କୁ ବୁଝାସୁଝା କରିବା ସହ ସେ ଉଠାଇଥିବା ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୧୦ ମାସ ବିତି ଯାଇଥିଲେ ମଧ୍ୟ ସଚିନଙ୍କୁ ମିଳିଥିବା ପ୍ରତିଶ୍ରୁତି ଗାନ୍ଧି ପରିବାର କିମ୍ବା କଂଗ୍ରେସ ପୂରଣ କରିପାରି ନାହାନ୍ତି। ଏହାକୁ ନେଇ ସଚିନ ପାଇଲଟ ଓ ତାଙ୍କ କ୍ୟାମ୍ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

କଂଗ୍ରେସ ଓ ଗାନ୍ଧି ପରିବାର ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବା ନିଜେ ସଚିନ ପାଇଲଟ ଖୋଲାଖୋଲି ଭାବେ କହିଛନ୍ତି। ସଚିନଙ୍କ ଏଭଳି ସଙ୍କେତ ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିବାରେ ଲାଗିଛି। ସଚିନ ସୋମବାର ହିନ୍ଦୁସ୍ତାନ ଟାଇମ୍ସକୁ କହିଥିଲେ ଯେ “ଇତି ମଧ୍ୟରେ ୧୦ ମାସ ବିତି ଗଲାଣି।

କମିଟି ଉପଯୁକ୍ତ ପଦକ୍ଷେପ ନେବ ବୋଲି କୁହାଯାଇଥିଲା। କିନ୍ତୁ ସରକାରଙ୍କ ଅଧା ସମୟ ଶେଷ ହୋଇଗଲାଣି। ତଥାପି ମୁଁ ଉଠାଇଥିବା ସମସ୍ୟା ସମାଧାନ ହୋଇନାହିଁ। ଆମ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ କଠିନ ଓ ନିରନ୍ତର ପ୍ରୟାସ କରି ଚାଲିଥିବା କଂଗ୍ରେସ ନେତାଙ୍କ କଥାକୁ ନ ଶୁଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାର ସମାଧାନ କେବେ ହେବ, ସେକଥା କାହାକୁ ବି ଜଣାନାହିଁ।”

ସଚିନ ଏପରି ବୟାନ ଦେଇ କଂଗ୍ରେସ ନେତୃବୃନ୍ଦଙ୍କୁ ସେମାନେ ଦେଇଥିବା ପ୍ରତିଶ୍ରୁତି କଥା ମନେପକାଇ ଦେଇଛନ୍ତି। ଯଦି ସମୟ ପୂର୍ବରୁ ସଚିନ ପାଇଲଟଙ୍କ ସମସ୍ୟା ସମାଧାନ ନ ହେବ, ତା’ହେଲେ ସେ ମଧ୍ୟ ଅନ୍ୟମାନଙ୍କ ଭଳି କଂଗ୍ରେସ ଛାଡ଼ିବେ ବୋଲି କୁହାଯାଉଛି।

ରାଜସ୍ଥାନ କ୍ୟାବିନେଟକୁ ସଂପ୍ରସାରଣ କରି ସଚିନ ପାଇଲଟଙ୍କ କ୍ୟାମ୍ପରୁ ଅଧିକାଂଶ ସଦସ୍ୟଙ୍କୁ ସାମିଲ କରିବା ହିଁ ଏକମାତ୍ର ବିକଳ୍ପ। ଏହି ଦାବି ଦୀର୍ଘ ଦିନ ହେଲା ଉଠି ଆସୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଗେହଲଟ କ୍ୟାବିନେଟ ସଂପ୍ରସାରଣ ସପକ୍ଷରେ ନାହାନ୍ତି। ଏପରି ସ୍ଥିତିରେ କଂଗ୍ରେସ ନେତୃବୃନ୍ଦ ଉଭୟ ସଚିନ ଓ ଅଶୋକ ଗେହଲଟଙ୍କୁ କେମିତି ଖୁସିରେ ରଖିବେ, ସେ କଥା ବୁଝି ପାରୁନାହାନ୍ତି।

ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ଏହାର ସମାଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। କିନ୍ତୁ ଗତବର୍ଷ ଅଗଷ୍ଟରୁ ଏହି କମିଟି କୌଣସି ବୈଠକ କରିନି। କମିଟିରେ ଥିବା ସଦସ୍ୟ ଅହମଦ ପଟେଲ ଗତବର୍ଷ ନଭେମ୍ବରରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ତେଣୁ ଆଗକୁ ଗାନ୍ଧି ପରିବାର କେଉଁ ସବୁ ପଦକ୍ଷେପ ନେଇ ସଚିନଙ୍କୁ ମନାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos