ମୁହଁ ଖୋଲୁ ନାହାନ୍ତି ସଚିନ ବାଜେ, କୋର୍ଟଙ୍କୁ ଜଣାଇଲା ଏନଆଇଏ

ମୁମ୍ୱାଇ: ମୁକେଶ ଅମ୍ୱାନୀଙ୍କ ଘର ଆଗରେ କାହିଁକି ସଚିନ ବାଜେ ବୋମା ଭର୍ତ୍ତି ଗାଡ଼ି ରଖିବାକୁ ନିଷ୍ପତ୍ତି ନେଲେ? ସଚିନଙ୍କ ପଛର ମୁଖ୍ୟ ମାଷ୍ଟରମାଇଣ୍ଡ କିଏ? ଏହି ସବୁ ମାମଲାର ତଦନ୍ତ ପାଇଁ ଏନଆଇଏ ସଚିନ ବାଜେଙ୍କୁ ରିମାଣ୍ଡରେ ନେଇଛି। ହେଲେ ସଚିନ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ତେଣୁ ତଦନ୍ତ ଆଗକୁ ଯାଇପାରୁ ନାହିଁ ବୋଲି ଏନଆଇଏ ମୁମ୍ୱାଇ କୋର୍ଟରେ ପକ୍ଷ ରଖି କହିଛନ୍ତି।

ଏହାପରେ ସଚିନ ବାଜେଙ୍କ ଓକିଲ ସଜଲ ଯାଦବ ପକ୍ଷ ରଖିଥିଲେ। ସଚିନ ବାଜେଙ୍କ ସହ ସେ ଏକୁଟିଆ ଦେଖିବାକୁ କରିବାକୁ ଚାହୁଁଛନ୍ତି ବୋଲି କୋର୍ଟରେ କହିଥିଲେ। ହେଲେ କୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏନଆଇଏର ଦଲିଲକୁ କୋର୍ଟ ପ୍ରତ୍ୟାଖାନ କରିଛନ୍ତି। ଏଥିସହ ସଚିନ ବାଜେଙ୍କ ଓକିଲଙ୍କୁ ଜେରା ବେଳେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ବୋମା ଭର୍ତ୍ତି କାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରୋଟିଷ୍ଟ ସ୍କ୍ୱାର୍ଡ ତଦନ୍ତ କରୁଛି। ସଚିନ ବାଜେଙ୍କୁ ଜେରା କରିବା ପାଇଁ ଏଟିଏସ ଏବେ ଥାନେ କୋର୍ଟରେ ଆବେଦନ କରିଛି। ଏହି ମାମଲାର ଶୁଣାଣି ମାର୍ଚ୍ଚ ୩୦ରେ ହେବ ବୋଲି କୋର୍ଟ କହିଛନ୍ତି। ସଚିନ ଏବେ ମାର୍ଚ୍ଚ  ଯାଏ ଏନଆଇଏ ହେପାଜତରେ ରହିବେ। ତେବେ ଏଟିଏସର ରିମାଣ୍ଡକୁ ବିରୋଧ କରିଛନ୍ତି ସଚିନଙ୍କ ଓକିଲ ଆରତୀ କଲେକର।

ଏହାରି ଭିତରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଦିଲ୍ଲୀରେ ଭେଟିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଶରଦ ପାଓ୍ୱାରଙ୍କୁ ବାଜେ ଓ ଆଣ୍ଟିଲା ମାମଲାରେ ଅବଗତ କରାଇଥିବା ସୂଚନା ରହିଛି। ଯଦିଓ ଏଟିଏସ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି ହେଲେ ତଦନ୍ତରେ କୌଣସି ତ୍ରୁଟି ରହିବ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଅନୀଲ ଦେଶମୁଖ।

ସଚିନ ବାଜେ ଜଣେ ସବ୍ ଇନିସପେକ୍ଟର ଭାବରେ କାମ କରୁଥିବା ବେଳେ ତାଙ୍କ ପାଖରେ ଅନେକ ଦାମୀ କାର ଜବତ ହୋଇଛି। ଏତେ ପଇସା ସଚିନଙ୍କ ପାଖରେ କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଛି। ଯାହାକି ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ଦାବି ହୋଇଛି। କାରଣ ଏନଆଇଏ ଜବତ କରିଥିବା କାର ଭିତରୁ ଗୋଟିଏ ନୋଟ୍ ଗଣିବା ମେସିନ ପାଇଛି।

ସଚିନ ବାଜେଙ୍କ ପଛରେ କିଏ?

ସଚିନ ବାଜେ ବୋମା ଭର୍ତ୍ତି କାର ରଖିବା ମାମଲାର ଏନଆଇଏ ଗିରଫ କରିଛି। ପ୍ରାଥମିକ ତଦନ୍ତ ବେଳେ ଏନଆଇଏ କହିଥିଲା ଏତେ ବଡ଼ ମାମଲାରେ ସଚିନଙ୍କ ସହ ଅନେକ ଅଛନ୍ତି। ଏଥିରେ ଅନେକ ନେତା ଏବଂ ପୁଲିସ ଅଫିସର ସାମିଲ ଥାଇପାରନ୍ତି। ସଚିନ ବାଜେ ଜଣେ ଏପିଆଇ ଥିଲେ ମଧ୍ୟ ତାଙ୍କର ବସ ଥିଲେ ପରମବୀର ସିଂହ। ତେଣୁ ପରମବୀର ସିଂହ ମଧ୍ୟ ଏବେ ସନ୍ଦେହ ଘେରରେ। ମନସୁଖଙ୍କ ମୃତ୍ୟୁ ପରେ ସଚିନ ବାଜେ ପରମବୀର ସିଂହଙ୍କ ସହିତ ତିନି ଘଣ୍ଟା ଧରି ବୈଠକ କରିଥିଲେ। ସେହିପରି ମନସୁଖଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ସ୍ଥାନରେ ପରମବୀର ଥିବା ଜଣାପଡ଼ିଛି।

ଅନ୍ୟପଟେ ବିବାଦ ଆସିବା ପରେ ହାତ ଟେକି ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖ। ସେ କହିଛନ୍ତି ପରମବୀରଙ୍କୁ ଏନଆଇଏ ଜେରା କରିପାରିବ। ସରକାରଙ୍କର କୌଣସି ଆପତ୍ତି ନାହିଁ। ପରମବୀରଙ୍କ ଉପରେ ସନ୍ଦେହ ଉଠିବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ଦେଇଛନ୍ତି। ଏବେ ସେ ହୋମଗାର୍ଡ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କିନ୍ତୁ ସଚିନ ବାଜେଙ୍କ ବିରୋଧରେ ଏନଆଇଏର ତଦନ୍ତ ରାଜନୀତିକ ଉଦ୍ଦେଶ୍ୟ ପ୍ରୋଣଦିତ ବୋଲି ଶିବସେନା କହିଛି। ଏମିତିକି ବାଜେଙ୍କୁ ଦକ୍ଷ ପୁଲିସ ବୋଲି ଶିବସେନା ତାର ମୁଖପାତ୍ର ସାମ୍ନାରେ କହିଛି। ଅନ୍ୟପଟେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ସଚିନ ଜଣେ ମୋହରା ମାତ୍ର। ଏହାପଛରେ ଗୋଟିଏ ବଡ଼ ଗ୍ୟାଙ୍ଗ ରହିଛି। ଯିଏକି  ଅମ୍ୱାନଙ୍କୁ ଧମକାଇବାକୁ ଚାହୁଁଛି। ଏହି ଗ୍ୟାଙ୍ଗ ସାର୍ବଜନୀନ ହେବା ଦରକାର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।