ସମୀର ୱାଙ୍ଖଡେଙ୍କ ପ୍ରଥମ ବିବାହର ଫଟୋ ସାମ୍ନାକୁ ଆସିଲା, କାଜି କହିଲେ ଏମିତି କଥା

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସମୀର ୱାଙ୍ଖଡେଙ୍କ ନାଁ ଓ ଜାତିକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କରିଥିବା ଟ୍ୱିଟ ସଂପୂର୍ଣ୍ଣ ସତ ବୋଲି କହିଛନ୍ତି କାଜି ମୁଜାମ୍ମିଲ ଅହମଦ। ସେ ହିଁ ଇସଲାମ ରୀତିନୀତିରେ ସମୀର ୱାଙ୍ଖଡେଙ୍କ ପ୍ରଥମ ବିବାହ କରିଥିଲେ।

ସେହି ସମୟରେ ସମୀର ଓ ତାଙ୍କ ପରିବାର ଲୋକ ସଂପୂର୍ଣ୍ଣ ଭାବେ ମୁସଲିମ ଥିବା ପ୍ରମାଣପତ୍ର ଦେଖାଇଥିଲେ ବୋଲି କାଜି ଅହମଦ ସୂଚନା ଦେଇଛନ୍ତି। ସମୀର ୱାଙ୍ଖଡେ ସେହି ସମୟରେ ସମୀର ଦାଉଦ ୱାଙ୍ଖଡେ ନାଁରେ ପରିଚିତ ଥିଲେ। ସେ ଡା ଶବାନା କ୍ୟୁରେସୀଙ୍କୁ ପ୍ରଥମେ ବିବାହ କରିଥିଲେ।

ହେଲେ ୨୦୧୭ରେ ସେ କ୍ରାନ୍ତୀ ନାମ୍ନୀ ଜଣେ ମହାରାଷ୍ଟ୍ର ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ନବାବ ମଲିକ ପ୍ରଥମେ ଟ୍ୱିଟ କରି ସମୀରଙ୍କ ବିବହାର ପ୍ରମାଣପତ୍ର ସାର୍ବଜନୀନ କରିଥିଲେ। ଏଥିରେ ସେ ନିଜ ନାଁକୁ ସମୀର ଦାଉଦ ୱାଙ୍ଖଡେ ଭାବେ ଉଲ୍ଲେଖ କରିଛନ୍ତି। ଏଥିସହ ଶବାନାଙ୍କ ସହ ସମୀର ବାହାଘର ବେଳେ ଉଠାଇଥିବା ଫଟୋକୁ ମଧ୍ୟ ସେ ସାର୍ବଜନୀନ କରିଛନ୍ତି।


ଏବେ ପ୍ରଥମ ବିବାହ କରାଇଥିବା କାଜି ଅହମଦ କହିଛନ୍ତି, “ସାମ୍ନାକୁ ଆସିବା ନିକା ନାମା ସଂପୂର୍ଣ୍ଣ ସତ୍ୟ। ସେଥିରେ ମୋ ଦସ୍ତଖତ ରହିଛି। ନିକା ବେଳେ ସମୀରଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାରର ସମସ୍ତ ସଦସ୍ୟ ମୁସଲିମ ଥିଲେ। ଯଦି ସେ ମୁସଲିମ ହୋଇ ନଥଆନ୍ତେ, ତା’ହେଲେ ନିକା କେବେ ହେଲେ ସମ୍ଭବ ହୋଇ ନଥାଆନ୍ତା।

୨୦୦୬ରେ ନିକା ହୋଇଥିଲା। ସିଙ୍ଗଲ ଗାର୍ଡେନରେ ହୋଇଥିବା ବାହାଘରରେ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ମୁଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲି ଓ ନିକା ନାମା ୧୫ ମିନିଟ ପଢ଼ିଥିଲି। ସଂପୂର୍ଣ୍ଣ ଇସଲାମିକ ନୀତିକାନ୍ତିରେ ବାହାଘର ହୋଇଛି। ଯଦି ମୁଁ ଜାଣି ଥାଆନ୍ତି ସମୀର ହିନ୍ଦୁ, ତା’ହେଲେ କେବେ ହେଲେ ନିକା କରି ନଥାଆନ୍ତି। ଶରିଆ ଆଇନରେ ଏପରି ବାହାଘର ସଂପୂର୍ଣ୍ଣ ଅବୈଧ। ବାହାଘର ବେଳେ ସମୀର, ତାଙ୍କ ପରିବାର, ଆଇନଜୀବୀ ଓ ସାକ୍ଷୀମାନେ ବି ମୁସଲିମ ଥିଲେ।”


ମହାରାଷ୍ଟ୍ର ମନ୍ତ୍ରୀ ମଲିକ କହିଛନ୍ତି, ସମୀରଙ୍କ ଧର୍ମକୁ ନେଇ ଏପରି ଖୁଲାସା କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଏନସିବିରେ ଚାକିରି ପାଇବା ପାଇଁ ସେ ଜାଲ ଜାତିଗତ ପ୍ରମାଣପତ୍ର ହାସଲ କରିଛନ୍ତି। ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ନବାବ ମଲିକ କହିଛନ୍ତି, “ମୁଁ ସମୀର ଉଦାଉ ୱାଙ୍ଖଡେଙ୍କ ଧର୍ମକୁ ନେଇ କୌଣସି ପ୍ରକାରର ଆପତ୍ତି ଉଠାଉନାହିଁ।

ଆଇଆରଏସ୍‌ ଚାକିରି ପାଇଁ ସେ ଜାଲ ଜାତିଗତ ପ୍ରମାଣ ହାସଲ କରିଥିବାରୁ ମୁଁ ଏସବୁ ପ୍ରସଙ୍ଗ ଉଠାଉଛି। ସେ ଜାଲ ଜାତିଗତ ପ୍ରମାଣପତ୍ର ହାସଲ କରି ଜଣେ ଅନୁସୂଚିତ ଜାତିର ଲୋକଙ୍କ ଚାକିରି ଛଡ଼ାଇ ନେଇଛନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।