ନିର୍ବାଚନୀ ବଣ୍ଡର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶେଷରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ନିର୍ବାଚନୀ ବଣ୍ଡ ଯୋଜନାରେ ମିଳୁଥିବା ଚାନ୍ଦାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ଏନଜିଓ ଏଡିଆର ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆବେଦନ କରିଥିଲେ। ସେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଆଗରେ ମାମଲା ଗୁରୁତ୍ୱ ବିଷୟରେ ଯୁକ୍ତି ରଖିଥିଲେ। ଏଥିସହ କୋଲକାତାର ଗୋଟିଏ କମ୍ପାନୀ ନିର୍ବାଚନୀ ବଣ୍ଡ ଜରିଆରେ ୪୦ କୋଟିର ଚାନ୍ଦା ଦେଇ କେମିତି ଅବକାରୀ ରେଡ୍‌ରୁ ବର୍ତ୍ତି ଥିଲା ସେକଥା ମଧ୍ୟ ଜଣାଇଥିଲେ।

ଏହାର ଜବାବରେ ସିଜେଆଇ କହିଛନ୍ତି, ଯଦି କୋଭିଡ ହୋଇ ନଥାଆନ୍ତା, ତା’ହେଲେ କୋର୍ଟ ନିଶ୍ଚିତ ଏହାର ତ୍ୱରିତ ଶୁଣାଣି କରିଥାଆନ୍ତେ। ଏହି ଖଣ୍ଡପୀଠରେ ସିଜେଆଇଙ୍କ ବ୍ୟତୀତ ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲି ମଧ୍ୟ ରହିଛନ୍ତି।

ଆଇନଜୀବୀ ପ୍ରଶାନ୍ତ କିଶୋରଙ୍କୁ ସେମାନେ ଖୁବଶୀଘ୍ର ମାମଲାର ଶୁଣାଣି ପାଇଁ ଲିଷ୍ଟିଂ କରାଯିବ ବୋଲି କହିଛନ୍ତି। ୨୦୧୭ରେ ଏନଜିଓ ପକ୍ଷରୁ ରାଜନୀତିକ ଦଳଗୁଡ଼ିକ ଆକାଉଣ୍ଟକୁ ବେଆଇନ ଭାବେ ଯାଉଥିବା ଚାନ୍ଦା ବିରୋଧରେ ଆବେଦନ କରାଯାଇଥିଲା। ତେବେ ଆବେଦନ ପରେ ଅର୍ଥାତ ୨୦୧୮ ଜାନୁଆରୀ ୨ରେ ସରକାରଙ୍କ ପକ୍ଷରୁ ନିର୍ବାଚନୀ ବଣ୍ଡ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଗତବର୍ଷ ମାର୍ଚ୍ଚରେ ଏନଜିଓ ପକ୍ଷରୁ ଆଉ ଗୋଟିଏ ଅନ୍ତରୀଣ ଆବେଦନ କରାଯାଇଥିଲା। ଏଥିରେ ନିର୍ବାଚନୀ ବଣ୍ଡ କ୍ରୟ ଉପରେ ରୋକ ଲଗାଇବାକୁ ନିବେଦନ କରାଯାଇଥିଲା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ଆସାମ ନିର୍ବାଚନ ଥିବାରୁ ଶେଲ କମ୍ପାନୀ ଜରିଆରେ ରାଜନୀତିକ ଦଳଗୁଡ଼ିକୁ ବେଆଇନ ଚାନ୍ଦା ଯିବାର ଆଶଙ୍କା ଥିବାରୁ ଏହା ଉପରେ ରୋକ ଲଗାଇବାକୁ କୁହାଯାଇଥିଲା।

ହେଲେ ମାର୍ଚ୍ଚ ୨୬ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡର କ୍ରୟ ରୋକିବାକୁ ମନା କରି ଦେଇଥିଲେ। ଗତବର୍ଷ ଜାନୁଆରୀ ମାସରେ ମଧ୍ୟ ସୁପ୍ରିମକୋର୍ଟ ସମାନ ଆଭିମୁଖ୍ୟ ପୋଷଣ କରିଥିଲେ। ତେବେ ‌ଆବେଦନ ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ କରିଥିଲେ।

ADR ନାମକ ସଂସ୍ଥା ଦାଖଲ କରିଥିବା ଆବେଦନ ଉପରେ ଯୁକ୍ତି ରଖି ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, “ନିର୍ବାଚନୀ ବଣ୍ଡ ଜରିଆରେ ଶାସକ ଦଳକୁ ଚାନ୍ଦା ନାଁରେ ଲାଞ୍ଚ ଦେଇ କାମ ହାସଲ କରିବାକୁ ପ୍ରୟାସ କରାଯାଉଛି। ନିର୍ବାଚନୀ ବଣ୍ଡ୍‌ ବର୍ତ୍ତମାନ ଏହାର ମାଧ୍ୟମ ପାଲଟିଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ନିର୍ବାଚନୀ ବଣ୍ଡ ଉପରେ ଆପତ୍ତି ଉଠାଇଥିଲା। ଆରବିଆଇ କହିଥିଲା ଯେ ଏହି ବଣ୍ଡସ ବ୍ୟବସ୍ଥା ଆର୍ଥିକ ଘୋଟାଲାର ଆଉ ଏକ ମାଧ୍ୟମ ବା ଅସ୍ତ୍ର। ଅନେକ ଲୋକ ବିଦେଶରେ ଟଙ୍କା ସଂଗ୍ରହ କରିପାରିବେ। ଏହାପରେ ସେମାନେ ଏଥିରୁ କିଛି ଅଂଶ ଦେଇ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଦେଇପାରିବେ।

ଏହା କଳାଧନ ବିରୋଧରେ ଲଢ଼େଇ ନା ଆଉ କିଛି? ସରକାରଙ୍କ ବିଶ୍ୱସନୀୟତା ପ୍ରତି ମଧ୍ୟ ଏପରି ବ୍ୟବସ୍ଥା ପ୍ରଶ୍ନ ଉଠାଉଛି। ବିଶ୍ୱର କୌଣସି ସ୍ଥାନରେ ଏପରି ହେଉନାହିଁ।

ନିର୍ବାଚନୀ ବଣ୍ଡ ମାଧ୍ୟମରେ ସରକାରଙ୍କୁ ଲାଞ୍ଚ ଦିଆଯାଉଛି। ସ୍ଥିତି ଏପରି ହୋଇଛି ଯେ କିଏ, କେତେ ଟଙ୍କା ଓ କେଉଁ ପାର୍ଟିକୁ ଦେଲା, ତାହା ମଧ୍ୟ ନିର୍ବାଚନ କମିଶନ ଜାଣି ପାରୁନାହାନ୍ତି। କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜାଣୁଛି। ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଜାଣୁଛିମାନେ ସରକାର ଜାଣୁଛନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।