ପରମବୀର ସିଂହଙ୍କୁ ସୁପ୍ରିମକୋର୍ଟରେ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ଏହି  ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ବମ୍ୱେ ହାଇକୋର୍ଟ ପାଖରେ ଏହି ମାମଲାର ବିଚାର କରିବା ପାଇଁ କ୍ଷମତା ରହିଛି। ତେଣୁ ବମ୍ୱେ ହାଇକୋର୍ଟରେ ଏହି ଆବେଦନ ହେବା ଦରକାର ବୋଲି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି। ଏବେ ପରମବୀର ସମାନ ଆବେଦନ ବମ୍ୱେ ହାଇକୋର୍ଟରେ କରିବେ ବୋଲି ଜଣାପଡ଼ିଛି।

ଜଷ୍ଟିସ କୌଉଲ, ଜଷ୍ଟିସ ଆର ସୁବାଷ ରେଡ୍ଡୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଧାରା ୨୨୬ ଅନୁଯାୟୀ ବମ୍ୱେ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ କହିଛନ୍ତି। ବମ୍ୱେ ହାଇକୋର୍ଟଙ୍କ ପାଖରେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେବା ନେଇ କ୍ଷମତା ରହିଛି ବୋଲି ଜଷ୍ଟିସ କୌଉଲ କହିଛନ୍ତି। ଏହାପରେ ପରମବୀରଙ୍କ ପାଇଁ ପକ୍ଷ ରଖି ମୁକୁଲ କହିଥିଲେ, ବୁଧବାର ଅପରାହ୍ନରେ ବମ୍ୱେ ହାଇକୋର୍ଟରେ ଏ ବାବଦରେ ଆବେଦନ ହେବ। ଗୁରୁବାର ଏହି ଆବେଦନର ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠଙ୍କୁ କହିଥିଲେ ମୁକୁଲ ରୋହତଗୀ।

ପରମବୀର ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, ତାଙ୍କୁ ପୁଲିସ କମିଶନର ପଦବୀରୁ ହୋମଗାର୍ଡ ଡିଜିକୁ ବଦଳି କରାଯାଇଛି। ହେଲେ ବଦଳିର କାରଣ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଯାହା କହିଛନ୍ତି ତାର ସତ୍ୟତା କିଛି ନାହିଁ। ଏଥିପାଇଁ ତାଙ୍କ ବଦଳି ଉପରେ ରୋକ୍ ଲଗାଯିବା ଦରକାର। ସେହିପରି ଅନୀଲ ଦେଶମୁଖଙ୍କ ଘରେ ଥିବା ସିସିଟିଭି ଫୁଟେଜକୁ ଜବତ କରିବାକୁ ସେ ଦାବି କରିଛନ୍ତି। ନହେଲେ ସେ ଲଗାଇଥିବା ପ୍ରମାଣ ନଷ୍ଟ ହୋଇଯିବ ବୋଲି କହିଛନ୍ତି। ପରମବୀର ସିଂହଙ୍କ ପାଇଁ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖିଥିଲେ।

ତେବେ ଏହାରି ଭିତରେ ରାଜ୍ୟର ବରିଷ୍ଠ ଆଇପିଏସ ସଞ୍ଜୟ ପାଣ୍ଡେଙ୍କର ବଦଳି ହୋଇଛି। ଏବେ ତାଙ୍କୁ ମହାରାଷ୍ଟ୍ରର ରାଜ୍ୟ ସୁରକ୍ଷା ବିଭାଗର ଡିଜି ଭାବରେ ବଦଳି କରିଛନ୍ତି ସରକାର। ବରିଷ୍ଠତା ଦୃଷ୍ଟିରୁ ଯେଉଁ ପଦବୀକୁ ବଦଳି ହୋଇଛି ସେ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ମହାରାଷ୍ଟ୍ର ଡିଜିପି ପାଇଁ ଯୋଗ୍ୟ ବୋଲି ଦାବି କରିଛନ୍ତି। ଏଥିପାଇଁ ବମ୍ୱେ ହାଇକୋର୍ଟ ଯିବେ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।