ଫସଲ କ୍ଷତି କରୁଥିବା ବନ୍ୟଜନ୍ତୁ ହତ୍ୟା ବିରୋଧରେ ସୁପ୍ରିମ କୋର୍ଟ ଗଲେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ: ଚାଷ ଜମିକୁ କ୍ଷତି ପହଞ୍ଚାଉଥିବା ଆଳରେ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଉଥିବା ଘଟଣାକୁ ବିରୋଧ କରି ବିଜେଡି ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ବିହାର ଓ ହିମାଚଳ ପ୍ରଦେଶ ଓ କେରଳ ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ନୋଟିସ ପଠାଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆବେଦନର ଶୁଣାଣି କରିଥିଲେ। ଅନୁଭବ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ତାଙ୍କ ଆବେଦନରେ କହିଥିଲେ ଯେ ନିଜ ଫସଲର ସୁରକ୍ଷା ପାଇଁ ନୀଳ ଗାଈ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ପାଇଁ ଅନୁମତି ଦିଆଯାଉଛି। ଏହାକୁ ବନ୍ଦ କରିବା ସହ ଆମକୁ ମଣିଷ-ପଶୁ ଲଢ଼େଇକୁ ବନ୍ଦ କରିବା ପାଇଁ ରାସ୍ତା ବାହାର କରିବା ଦରକାର।

ଏହାର ଶୁଣାଣି କରି ଜଷ୍ଟିସ ବୋବଡେ କହିଛନ୍ତି ଏହାକୁ ବନ୍ଦ କରାଯିବା ସହ ବିକଳ୍ପ ରାସ୍ତା ବାହର କରିବାକୁ ଆବେଦନ କରିବା ଠିକ କଥା। ହେଲେ କେବେଳ ସେମାନଙ୍କୁ ହତ୍ୟା କରିବାକୁ ମନା କରିଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସମାଧାନର ରାସ୍ତା ବାହାର କରିବା ପାଇଁ ବ୍ୟବସ୍ଥା କରାଯିବା ଦରକାର। ଏହି ମାମଲା ସହ ଆମେ ସପୁରୀ ଭିତରେ ବିସ୍ଫୋରକ ଖଞ୍ଜି କେରଳରେ ହାତୀକୁ ହତ୍ୟା କରାଯିବା ଘଟଣାକୁ ମଧ୍ୟ ଯୋଡ଼ିଛୁ।

କୋର୍ଟ ଆହୁରି କହିଛନ୍ତି, ବନ୍ୟ ଜନ୍ତୁଙ୍କୁ ହତ୍ୟା ନ କରି ସେମାନଙ୍କୁ ଫସଲ ନଷ୍ଟ କରିବାକୁ ଛାଡ଼ିଦେବା ମଧ୍ୟ ଠିକ ନୁହେଁ। ତେଣୁ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯିବ ନାହିଁ ଓ ଫସଲ ମଧ୍ୟ କେମିତି ନଷ୍ଟ ହେବ ନାହିଁ, ତା’ର ବିକଳ୍ପ ରାସ୍ତା ବାହାର କରାଯିବା ଉଚିତ। ଏହାଦ୍ୱାରେ ମଣିଷ-ପଶୁଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଲଢ଼େଇ ବନ୍ଦ ହୋଇପାରିବ।

ବନ୍ୟଜନ୍ତୁଙ୍କୁ ମାରିବା ଅପେକ୍ଷା ରବର ବୁଲେଟର ବ୍ୟବହାର କରାଯାଇ ପାରେ। ଏଥିସହ କୋର୍ଟ ମାମଲା ଲଢ଼ୁଥିବା ଓକିଲଙ୍କୁ ସମାଧାନ ପାଇଁ ବିକଳ୍ପ ସବୁ କ’ଣ ରହିଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।

ଲୁଥ୍ରା କହିଥିଲେ ବନ୍ୟଜନ୍ତୁଙ୍କ ଇଲାକାରେ ଲୋକମାନେ ପ୍ରବେଶ କରି ସେଠାରେ ବସବାସ କରୁଛନ୍ତି। ଏହା ମଧ୍ୟ ସମସ୍ୟାର ଏକ କାରଣ। ଏହାପରେ କୋର୍ଟ ହିମାଚଳ ପ୍ରଦେଶ, ବିହାର ଓ କେରଳ ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ କରିଛନ୍ତି।

କେନ୍ଦ୍ରାପଡ଼ାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ତାଙ୍କ ଆବେଦନରେ କହିଥିଲେ ଯେ ବିହାର, ହିମାଚଳ ପ୍ରଦେଶ ଓ କେରଳରେ ବନ୍ୟଜନ୍ତଙ୍କୁ ଫସଲ କ୍ଷତି କରିବା ଆଳରେ ହତ୍ୟା କରାଯାଉଛି। ବିଶେଷ କରି ନୀଳ ଗାଈ ଓ ହାତୀମାନଙ୍କୁ ଏଠାରେ ହତ୍ୟା କରାଯାଉଛି। ତେଣୁ ଏହା ଉପରେ ରୋକ ଲାଗିବା ଦରକାର। ଆମକୁ ପଶୁ ଓ ମଣିଷ ଲଢ଼େଇକୁ ବନ୍ଦ କରି ଏକ ନୂଆ ରାସ୍ତା ବାହାର କରିବା ଉଚିତ ବୋଲି ସେ ଆବେଦନରେ ଦର୍ଶାଇଥିଲେ। ଏଥିସହ ସେ କହିଥିଲେ ଯେ ପଶୁ ସହ ମଣିଷର ସଂଘର୍ଷ ଓ ବନ୍ୟଜନ୍ତୁଙ୍କୁ ହତ୍ୟା ପାଇଁ ଉତ୍ସାହିତ ପରିବର୍ତ୍ତେ ସକ୍ରିୟ, ଗଠନମୂଳ ଓ ବୈଜ୍ଞାନିକ ଭାବେ ଏହାକୁ ବନ୍ଦ କରାଯାଇ ପାରିବ।

୨୦୧୫ ଡିସେମ୍ବର ମାସରେ କେନ୍ଦ୍ର ସରକାର ନୀଳ ଗାଈ ଓ ବଣୁଆ ଭାଲୁଙ୍କୁ ବିହାରରେ ହତ୍ୟା କରିବାର ଅନୁମତି ଦେଇଥିଲେ। ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ପାତି ମାଙ୍କଡ଼ଙ୍କୁ ହତ୍ୟା କରିବାର ଅନୁମତି ମିଳିଛି। ଏମାନେ ଫସଲ ଓ ମଣିଷଙ୍କୁ କ୍ଷତି ପହଞ୍ଚାଉଥିବାରୁ ଏମାନଙ୍କୁ କେନ୍ଦ୍ର ସରକାର ଭେରମିନ ଦର୍ଶାଇ ହତ୍ୟା କରିବାକୁ ଅନୁମତି ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।