ଆଧାର କାର୍ଡ ପାଇଁ କଟିଛି ପ୍ରାୟ ୪ କୋଟି ରାସନ କାର୍ଡ! କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଆଧାର କାର୍ଡ ଲିଙ୍କ ହୋଇ ନଥିବାରୁ କେନ୍ଦ୍ର ସରକାର ପ୍ରାୟ ୪ କୋଟି ରାସନ କାର୍ଡକୁ ରଦ୍ଦ କରି ଦେଇଥିବା ଅଭିଯୋଗକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଏତେ ସଂଖ୍ୟ ରାସନ କାର୍ଡ ବାତିଲ ହୋଇଥିବା ଅଭିଯୋଗ ନିଶ୍ଚିତ ଚିନ୍ତାର ବିଷୟ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଏଥିପାଇଁ କୋର୍ଟ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମଣିଅନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଆଧାର ପାଇଁ ରାସନ କାର୍ଡ କଟିଥିବା ଉପରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, ଏପରି ଆବେଦନକୁ କେବେ ହେଲେ ବିରୋଧାତ୍ମକ ଆଭିମୁଖ୍ୟ ଭାବେ ଦେଖାଯାଇ ପାରିବ ନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗ। ଆମକୁ ଏହାର ଶୁଣାଣି କରିବାକୁ ପଡ଼ିବ।

କୋଇଲି ଦେବୀ ନାମକ ଜଣେ ମହିଳା ପ୍ରଥମେ ଏ ସମ୍ପର୍କରେ ଆବେଦନ କରିଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ଖାଦ୍ୟାଭାବ ଯୋଗୁ ତାଙ୍କର ୧୧ ବର୍ଷୀୟ ଝିଅ ୨୦୧୭ ସେପ୍ଟେମ୍ବର ୨୮ରେ ପ୍ରାଣ ହରାଇଛନ୍ତି। ଆଧାର କାର୍ଡ ଓ ବାଓମେଟ୍ରିକ୍ସ ଅନ୍ଥେଟିକେସନ ଯୋଗୁ ଦେଶର ପ୍ରାୟ ୪ କୋଟି ଲୋକଙ୍କ ରାସନ କାର୍ଡ ବାତିଲ ହୋଇଛି। ଏହାକୁ ଲୁଚାଇବା ପାଇଁ ସରକାର ବାତିଲ ହୋଇଥିବା କାର୍ଡକୁ ଲୋକମାନେ ଜାଲିଆତି କରି ନେଇଥିବା ସଫେଇ ଦେଉଛନ୍ତି।

ହେଲେ ରାସନ କାର୍ଡ ସହ ଆଧାର ଲିଙ୍କ ନ କରିବାରୁ ସରକାର ଏଗୁଡ଼ିକୁ ବାତିଲ କରିଛନ୍ତି। ଆବେଦନକାରୀଙ୍କ ଓକିଲ କୋଲିନ ଗୋନସାଲଭେ କହିଛନ୍ତି, ଏହା ଏକ ବୃହତ୍ତର ପ୍ରସଙ୍ଗ। ପ୍ରାୟ ୩ କୋଟି ରାସନ କାର୍ଡ କେନ୍ଦ୍ରୀୟ ସ୍ତରରେ ବାତିଲ କରାଯାଇଥିଲା ବେଳେ ୧୦ରୁ ୧୫ ଲକ୍ଷ କାର୍ଡକୁ ରାଜ୍ୟ ସରକାରମାନେ ବାତିଲ କରିଛନ୍ତି। ଏହା ପଛର ବୈଷୟିକ କାରଣ ରହିଛି। iris identification, ଅଙ୍ଗୁଳି ଚିହ୍ନ, ଆଧାର କାର୍ଡ ଲିଙ୍କ, ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ଦେଖାଯାଉଥିବା ଇଣ୍ଟରନେଟ ସମସ୍ୟା ଯୋଗୁ ରାସନ କାର୍ଡ ବାତିଲ ହୋଇଛି। ରାସନ ବାର୍ଡ ବାତିଲ ହୋଇଥିବା ଲୋକଙ୍କୁ ଆଗରୁ ସରକାର ନୋଟିସ୍‌ ମଧ୍ୟ ଦେଇନାହାନ୍ତି।

ହଠାତ୍‌ ରାସନ କାର୍ଡ କଟି ଯାଇଥିବାରୁ ଲୋକମାନେ ଠିକ୍‌ ଭାବେ ଖାଦ୍ୟ ସାମଗ୍ରୀ ମଧ୍ୟ ପାଇ ନଥିଲେ। ଖାଦ୍ୟ ସୁରକ୍ଷା ଆଇନର ସେକସନ ୧୪ ଆଧାରରେ କୌଣସି ଗୋଟିଏ ହେଲେ ବି ରାଜ୍ୟ ନିରପେକ୍ଷ ନୋଡାଲ ଅଫିସର ନିଯୁକ୍ତି କରିନାହାନ୍ତି। ସେହିପରି ସେକସନ ୧୫ ଅନୁସାରେ District Grievance Redressal Officer ମଧ୍ୟ ନିଯୁକ୍ତି ହୋଇନାହାନ୍ତି। କାର୍ଯ୍ୟରତ ଅଫିସରଙ୍କୁ ରାଜ୍ୟ ସରକାରମାନେ ଅତିରିକ୍ତ ଅଫିସର ଭାବେ ଦାୟିତ୍ୱ ହସ୍ତାନ୍ତର କରୁଛନ୍ତି। ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କୁ ଏହି ଅତିରିକ୍ତ ପଦବୀ ମିଳୁଛି। ହେଲେ ସେମାନେ ହିଁ ସବୁ ଦୁର୍ନୀତିର ମୂଳସୂତ୍ର ଧର ବୋଲି ସରକାର ଭୁଲି ଯାଉନ୍ତି। ତେଣୁ ଏହା ଉପରେ ପଦକ୍ଷେପ ନେବା ଦରକାର ବୋଲି ସେ ତାଙ୍କ ଯୁକ୍ତିରେ କହିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଅଭିଯୋଗ ଶୁଣିବା ଓ ସାମାଧନ କରିବାକୁ ବ୍ୟବସ୍ଥା ରହିଛି। ଯଦି ଆଧାର ନାହିଁ, ତା’ହେଲେ ଅଲଗା ପରିଚୟପତ୍ରର ଦସ୍ତାବିଜ ଦାଖଲ କରାଯାଇପାରିବ। ଆମେ ପୂର୍ବରୁ ସ୍ପଷ୍ଟ କରି ସାରିଛୁ ଯେ ଆଧାର ଥାଉ କି ନଥାଉ, କାହାକୁ ବି ଖାଦ୍ୟ ଯୋଗାଣରୁ ବିରତ କରାଯାଇ ପାରିବ ନାହିଁ।

କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନୋଟିସ କରିଛନ୍ତି। ୨୦୧୮ରୁ ଏହି ଆବେଦନ ପେଣ୍ଡିଂ ହୋଇ ରହିଥିବାରୁ ଆସନ୍ତା ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।