ସେପ୍ଟେମ୍ବର ୩୦ ଯାଏ ସ୍କୁଲ ବନ୍ଦ, ପାଠ ବୁଝିବାକୁ ଯାଇପାରିବେ ପିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ତେବେ ଅନଲକ-୩ ଭଳି ଅନଲକ-୪ରେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ। ଏହାର ଅର୍ଥ ସେପ୍ଟେମ୍ବର ୩୦ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ। ତେବେ ଅନଲକ-୪ରେ ଶିକ୍ଷାଦାନ ପାଇଁ କିଛି ନିୟମରେ କୋହଳ କରାଯାଇଛି।

ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ଥିଲେ ହେଁ ଅନଲାଇନରେ ଶିକ୍ଷାଦାନ ଜାରି ରହିବ। ସେହିପରି ଅନଲାଇନ ଶିକ୍ଷା କେମିତି ଅଧିକ ବ୍ୟାପକ ହୋଇପାରିବ, ତା’ର ବ୍ୟବସ୍ଥା କରାଯିବ। ସ୍କୁଲ ବନ୍ଦ ଥିଲେ ମଧ୍ୟ ୫୦% ଶିକ୍ଷକ ଏଠାକୁ ଆସିବେ ଓ ଅନଲାଇନରେ ପିଲାଙ୍କୁ ପାଠପଢ଼ାଇବେ।

କଟକଣା ଭିତ୍ତିରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିବ। ଶିକ୍ଷକଙ୍କ ଠାରୁ ପାଠ ବୁଝିବାକୁ ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯାଇପାରିବେ। ସ୍କୁଲକୁ ଯିବା ପାଇଁ ପିଲାଙ୍କୁ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ସେପ୍ଟେମ୍ବର ୨୧ରୁ ଏଥିପାଇଁ ଅନୁମତି ମିଳିବ। ଏହାପାଇଁ ବି SOP ଜାରି କରାଯିବ। ଆଇଟିଆଇ ଗୁଡ଼ିକରେ ପିଲାମାନଙ୍କୁ ଟ୍ରେନିଂ ଦେବା ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ ବାହାରେ ହିଁ ଏହି ନିୟମ ଲାଗୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।