ହଜି ଯାଇଛି ବିଲେଇ, ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା

ପ୍ରୟାଗରାଜ: ପ୍ରାୟ ୭ ଦିନ ହେଲା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ରହୁଥିବା ମହମ୍ମଦ ତାହିରଙ୍କ ଘରେ ପୋଷା ବିଲେଇଟି କେଉଁ ଆଡ଼େ ନିଖୋଜ ହୋଇଯାଇଛି। ତା’କୁ ପରିବାର ଲୋକ ଖୋଜୁଥିଲେ ମଧ୍ୟ ପାଉନାହାନ୍ତି। ପ୍ରିୟର ବିଲେଇକୁ ନ ପାଇ ପରିବାରର କିଛି ସଦସ୍ୟ କାନ୍ଦୁଥିବା ବେଳେ ଆଉ କିଛି ସଦସ୍ୟ ଖାଇବା ପିଇବା ଭୁଲି ଯାଇଛନ୍ତି।

ଲୁସି ନାମକ ଏହି ବିଲେଇର ପତ୍ତା ୭ ଦିନ ହେଲା ମିଳୁନି। ଏବେ ହିଜି ଯାଇଥିବା ବିଲେଇକୁ ଖୋଜି ଆଣିବା ପାଇଁ ପରିବାର ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଯଦି କେହି ଲୁସିକୁ ଖୋଜି ଆଣିବେ, ତା’ହେଲେ ତାଙ୍କୁ ତାହିର ପରିବାର ୧୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି।

ପରିବାର ପକ୍ଷରୁ ସିଭିଲ ଲାଇନ ଅଞ୍ଚଳରେ ଥିବା ବିଭିନ୍ନ କାନ୍ଥ, ମାର୍କେଟ, ବିଦ୍ୟୁତ ଖୁଣ୍ଟ ଇତ୍ୟାଦିରେ ଲୁସିର ଫଟୋ ମଧ୍ୟ ଲଗା ଯାଇଛି। ସମସ୍ତଙ୍କୁ ଲୁସିକୁ ଖୋଜି ଆଣିବାକୁ ପୋଷ୍ଟରରେ ଅନୁରୋଧ କରାଯାଇଛି।

ମହମ୍ମଦ ତାହିର କହିଛନ୍ତି, “ପ୍ରାୟ ଦେଢ଼ ବର୍ଷ ତଳେ ଲୁସିକୁ ଆମେ ଘରକୁ ଆଣିଥିଲୁ। ସେ ଆମର ଛୋଟ ପିଲା ଭଳି ଥିଲା। ଆମ ସହ ଖାଉଥିଲା ଓ ଆମ ସହ ଶୋଉଥିଲା। କିନ୍ତୁ ୭ ଦିନ ହେଲା ସେ କେଉଁଆଡ଼େ ଚାଲି ଯାଇଛି। ତା’କୁ ନ ପାଇ ପରିବାର ସବୁ ସଦସ୍ୟ ଭାଙ୍ଗି ପଡ଼ିଛନ୍ତି। ଲୁସିକୁ ଠାବ କରିବାକୁ ଆମେ ତା’ର ଫଟୋ ଚାରିଆଡ଼େ ଲଗାଇଛୁ। ଏଥିସହ ଲୁସିକୁ ଆମକୁ ଫେରାଇ ଦେଲେ, ଆମେ ୧୦ ହଜାର ଟଙ୍କା ମଧ୍ୟ ଦେବୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।