କୋଭାକ୍ସିନ ଟ୍ରାଏଲ: ୨ରୁ ୬ ବର୍ଷର ପିଲାଙ୍କୁ ଦିଆଯିବ ଟିକାର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ: ଖୁବଶୀଘ୍ର ଛୋଟ ପିଲାଙ୍କର ଟିକାକରଣ ଦେଶରେ ଆରମ୍ଭ ହେବ। ଭାରତ ବାୟୋଟେକ ପକ୍ଷରୁ ଛୋଟ ପିଲାଙ୍କ ଉପରେ କରାଯାଉଥିବା କୋଭାକ୍ସିନ ଟିକାର ପରୀକ୍ଷଣ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରାଏଲରେ ସାମିଲ ଥିବା ୨ରୁ ୬ ବର୍ଷ ବୟସର ପିଲାମାନଙ୍କୁ ଆସନ୍ତା ସପ୍ତାହରେ କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୟସ ପିଲାମାନଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇ ସାରିଛି।

ସେହିପରି ଟ୍ରାଏଲରେ ସାମିଲ ଥିବା ୬ରୁ ୧୨ ବର୍ଷର ପିଲାମାନଙ୍କୁ ଗୋଟିଏ ସପ୍ତାହ ଆଗରୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। ତେଣୁ ଏହାର ରିପୋର୍ଟ ସକାରାତ୍ମକ ଆସିଲେ, ଖୁବଶୀଘ୍ର ଦେଶରେ ଛୋଟ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ। ଏମ୍ସ ପକ୍ଷରୁ ଏପରି ସୂଚନା ମିଳିଛି। ଏଠାରେ ମଧ୍ୟ ୧୮ରୁ କମ ବର୍ଷ ପିଲାଙ୍କୁ ନେଇ ଟିକାର ପରୀକ୍ଷଣ କରାଯାଉଛି।

ସୂଚନା ଅନୁସାରେ, ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବା ପରେ ଅନ୍ତରୀଣ ରିପୋର୍ଟ ଆସିବ। ଏହା ଅଗଷ୍ଟ ଶେଷ ସୁଦ୍ଧା ସାର୍ବଜନୀନ ହେବ। ଏଥିରୁ ଜଣାପଡ଼ିବ ଯେ ଟିକା ଛୋଟ ପିଲାଙ୍କ ଉପରେ କେତେ ଫଳପ୍ରଦ। ଏହାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ୧୮ରୁ କମ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ଖୁବଶୀଘ୍ର ଆରମ୍ଭ ହେବ। ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାର ଟ୍ରାଏଲ ଛୋଟ ପିଲାମାନଙ୍କ ଉପରେ ଶେଷ ହୋଇଛି। କେବଳ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ବିଧିବଦ୍ଧ ଭାବେ ଟିକାକରଣ ଆରମ୍ଭ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।