ଚିତ୍ରକୋଟ: ଜେଲରେ ରହି ବି ଅପରାଧୀମାନେ ନଜ ଆଚରଣରେ କୌଣସି ପରିବର୍ତ୍ତନ ଆଣୁନାହାନ୍ତି। ଜେଲରେ ରହିବି ସେମାନେ ଅପରାଧ ଘଟାଇବାରେ ଲାଗିଛନ୍ତି। ଫିଲ୍ମରେ ଯେମିତି ଜେଲ୍ରେ ଥିବା ଦୁଇ ଅପରାଧୀ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୁଏ, ସେମିତି ଘଟଣା ଉତ୍ତର ପ୍ରଦେଶ ଚିତ୍ରକୋଟ ଜେଲ୍ରେ ଘଟିଛି।
ଏଠାରେ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆଉ ଡନ୍ରୁ ରାଜନେତା ପାଲଟିଥିବା ମୁକ୍ତାର ଅନସାରୀଙ୍କ ଦୁଇ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଛି। ଶେଷରେ ପୁଲିସ୍ ଅଧିକାରୀମାନେ ରକ୍ତମୁଖା ହୋଇଥିବା ଉକ୍ତ ଗ୍ୟାଙ୍ଗଷ୍ଟରକୁ କାବୁ କରିବା ଯାଇ ବିଫଳ ହେବାରୁ ତାକୁ ବି ଗୁଳି କରି ଦେଇଛନ୍ତି। ଜେଲ ଭିତରେ ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ମୁକୀମ, ମେରଜା ଓ ଅନୁଶ ଦିକ୍ଷୀତ।
ସୂଚନା ଅନୁସାରେ, ପୂର୍ବାଞ୍ଚଳର ଡନ୍ରୁ ରାଜନେତା ହୋଇଥିବା ମୁକ୍ତାର ଅନସାରୀଙ୍କୁ କିଛି ଦିନ ତଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜାବରୁ ଉତ୍ତର ପ୍ରଦେଶର ଭଣ୍ଡା ଜେଲ୍କୁ ଅଣାଯାଇଥିଲା। ସେ ପଞ୍ଜାବରେ ରହିବାକୁ ଚାହୁଁଥିଲେ ହେଁ ଉତ୍ତର ପ୍ରଦେଶ ସରକାର କୌଣସି କଥା ଶୁଣି ନଥିଲେ।
କୋର୍ଟରେ ଦୀର୍ଘ ଦିନର ଲଢ଼େଇ ପରେ ଅନସାରୀ ଶେଷରେ ପଞ୍ଜାବରୁ ଭଣ୍ଡା ଜେଲକୁ ଆସିଥିଲେ। ପଞ୍ଜାବରୁ ଆଣିବା ବାଟରେ କିମ୍ବା ଜେଲ ଭିତରେ ତାଙ୍କୁ ଏନକାଉଣ୍ଟର କରି ମାରିଦିଆଯାଇ ପାରେ ବୋଲି ମଧ୍ୟ ସେ ଆଶଙ୍କା କରିଥିଲେ।
ତାଙ୍କ ତଥାକଥିତ ଶାର୍ଫ ଶୁଟର ହେଉଛି ମୁକୀମ। ଆଜି ସେ ଜେଲ୍ରେ ଗ୍ୟାଙ୍ଗଷ୍ଟର ଅନୁଶର ଶିକାର ବନିଛି। ଏଥିସହ ଅନୁଶ ଜେଲରେ ଥିବା ମୁକୀମର ସହଯୋଗୀ ମେରଜାକୁ ମଧ୍ୟ ଗୁଳି କରିଦେଇଛନ୍ତି। ଚିତ୍ରକୋଟ ଜେଲରେ ରହିବା ଦିନଠାରୁ ମୁକୀମ ଓ ଅନୁଶ ମଧ୍ୟରେ ଟକରାଟକରି ଲାଗି ରହିଥିଲା। ଉଭୟଙ୍କୁ ଅଲଗା ଅଲଗା ସେଲ୍ରେ ଅତ୍ୟନ୍ତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା।
ଶୁକ୍ରବାର ଅନୁଶ ଫୋନ କରିବାକୁ ନିଜ ସେଲରୁ ବାହାରି ଥିଲା। ଏହି ସମୟରେ ସେ ଜେଲ କର୍ମଚାରୀଙ୍କ ଠାରୁ ପିସ୍ତଲ ଛଡ଼ା ନେଇ ମେରଜା ରହୁଥିବା ସେଲରେ ପହଞ୍ଚିଥିଲା। ସେଠାରେ ସେ ୯ ଏମଏମ ପିସ୍ତଲରେ ତାକୁ ଗୁଳି କରି ଦେଇଥିଲା। ଏହାପରେ ସେ ମୁକୀମ ରହୁଥିବା ସେଲ୍ରେ ପହଞ୍ଚି, ତା’କୁ ମଧ୍ୟ ଗୁଳି କରିଥିଲା।
ସେ ଆଉ କିଛି କଏଦୀଙ୍କୁ ମାରିବା ପୂର୍ବରୁ ଜେଲ ଅଧିକାରୀମାନେ ଆକ୍ସନ ମୋଡକୁ ଚାଲି ଆସିଥିଲେ। ଏହା ଦେଖି ଅନୁଶ ସେମାନଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା। ଅଧିକାରୀମାନେ ମଧ୍ୟ ଗୁଳି ଚଳାଇବାରୁ ଅନୁଶ ଘଟଣାସ୍ଥଳରେ ଟଳି ପଡ଼ିଥିଲା। ସୂତ୍ର ଅନୁସାରେ, ମେରଜା ଓ ମୁକୀମକୁ ଗୁଳି କରିବା ବେଳେ ଅନୁଶ ଚିତ୍କାର କରି ମୁକ୍ତାର ଅନସାରୀଙ୍କ ସବୁ ସହଯୋଗୀଙ୍କୁ ହତ୍ୟା କରିବି ବୋଲି କହୁଥିଲା। ତେଶୁ ମୁକ୍ତାର ଅନସାରୀଙ୍କ ସହ କୌଣସି ଶତ୍ରୁତା କାରଣରୁ ଅନୁଶ ଏପରି କରିଥିବା ସନ୍ଦେହ କରାଯାଉଛି। ଏବେ ପୁଲିସ୍ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ମୁକୀମ ନାଁରେ ୬୫ରୁ ଅଧିକ ମାମଲା ରହିଥିଲା। ପଶ୍ଚିମ ୟୁପିରେ ସେ ଅପରାଧର ନେଟୱର୍କ ଚଳାଇଥିଲା। ସେ ପ୍ରଥମେ ମୁସ୍ତାଫା କାଗା ଗ୍ୟାଙ୍ଗରେ କାମ କରୁଥିଲା। ହରିଆଣା, ପଶ୍ଚିମ ୟୁପି ଓ ଉତ୍ତରାଖଣ୍ଡରେ ହତ୍ୟାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧରେ ଏହି ଗ୍ୟାଙ୍ଗ ସାମିଲ ଥିଲା।
ତେବେ କାଗା ପୁଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ମୁକୀମ ତା’ ସ୍ଥାନ ନେଇଥିଲା। ଗତବର୍ଷ ଅକ୍ଟୋବର ମାସରେ ପୁଲିସ୍ ତାକୁ ଗିରଫ କରି ସାହରନପୁର ଜେଲରେ ରଖିଥିଲା। ଜେଲରେ ରହି ମଧ୍ୟ ସେ ତା’ର ନେଟୱର୍କ ଚଳାଇଥିଲା। ତେଣୁ ତା’କୁ ଚିତ୍ରକୋଟ ଜେଲକୁ ପଠାଇ ଦିଆଯାଇଥିଲା।
ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ସୀତାପୁରର ଅନୁଶ ଦିକ୍ଷୀତ ମଧ୍ୟ ଜଣେ ଗ୍ୟାଙ୍ଗଷ୍ଟର। ୨୦୧୪ ମସିହାରେ ପୁଲିସ୍ ତା’କୁ ଗୋରଖପୁରରୁ ଗିରଫ କରିଥିଲା। ସେ ବି ଜେଲ୍ରେ ନେଟୱର୍କ ତିଆରି କରୁଥିବାରୁ ତା’କୁ ଚିତ୍ରକୋଟ ଜେଲକୁ ପଠା ଯାଇଥିଲା। ଉଭୟ ଅନୁଶ ଓ ମୁକୀମ ଜେଲର ଅତି ସୁରକ୍ଷା ବଳୟ ମଧ୍ୟରେ ରହୁଥିଲେ। ଏଠାରେ ସେମାନଙ୍କ ସହ ମୁକୀମ ଗ୍ୟାଙ୍ଗର ମେରଜା ମଧ୍ୟ ରହୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।