ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି, ଟଙ୍କା ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ: ଭଉଣୀ ସୁମନ

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଗଡ଼ ବଞ୍ଚାଇବା ପାଇଁ ଜୋରଦାର ଉଦ୍ୟମ କରୁଥିବା ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସିଦ୍ଧୁଙ୍କ ବଡ଼ ଭଉଣୀ ସୁମନ ତୁର ହିଁ ସର୍ବ ସମ୍ମୁଖରେ ତାଙ୍କ ଭାଇ ଜଣେ ନିଷ୍ଠୁର ବ୍ୟକ୍ତି ଓ ଟଙ୍କା ପାଇଁ ସେ ତାଙ୍କ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ବୋଲି କହିଛନ୍ତି।

ସୁମନ ତୁର ଆମେରିକାରେ ରୁହନ୍ତି। ନିକଟରେ ସେ ଚଣ୍ଡିଗଡ଼ ଆସିଛନ୍ତି। ଶୁକ୍ରବାର ସେ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁଙ୍କ ବିରୋଧରେ ବିଷ ଓକାରିଛନ୍ତି। ୧୯୮୬ରେ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ଓ ତାଙ୍କ ବୁଢ଼ୀ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ। ବାପାଙ୍କ ଦେହାନ୍ତ ପରେ ଏପରି ଘଟିଥିଲା। ଏଥିପାଇଁ ୧୯୮୯ରେ ଗୋଟିଏ ରେଳ ଷ୍ଟେସନରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ସୁମନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଆମେ ବହୁତ କଠିନ ସମୟ ଦେଇ ଗତି କରିଛୁ। ମୋ ମା’ ଦୀର୍ଘ ୪ ମାସ କାଳ ହସ୍ପିଟାଲରେ ରହିଥିଲେ। ମୁଁ କରୁଥିବା ଦାବିର ପ୍ରମାଣ ମଧ୍ୟ ରହିଛି। ସମ୍ପତ୍ତି ପାଇଁ ସିଦ୍ଧୁ ଆମ ସହ ସମ୍ପର୍କ ତୁଟାଇ ଦେଇଥିଲେ। ମୋ ବାପା ଆମ ପାଇଁ ଗୋଟିଏ ଘର ଓ ଜମି ସମେତ ପେନସନ ଛାଡ଼ି ଯାଇଥିଲେ।

ଟଙ୍କା ପାଇଁ ନବଜୋତ ସିଂହ ସିଦ୍ଧୁ ମା’ଙ୍କୁ ବାହାର କରି ଦେଇଥିଲେ। ଆମେ ତାଙ୍କ ଠାରୁ କୌଣସି ଟଙ୍କା ଚାହୁଁନୁ। ୧୯୮୭ରେ ସିଦ୍ଧୁ ବାପା-ମା’ ଅଲଗା ହୋଇ ଯାଇଥିବା ନେଇ କହିଥିଲେ। ହେଲେ ଏହା ସଂପୂର୍ଣ୍ଣ ମିଛ ଥିଲା। ମୋ ବାପା ମା’ଙ୍କ ବିଷୟରେ ସିଦ୍ଧୁ ଯାହା ବି ଦାବି କରିଛନ୍ତି, ସେସବୁ ମିଛ। ମୋ ବାପାମା’ ଆଇନଗତ ଉପାୟରେ ଅଲଗା ହୋଇ ଯାଇଥିବା ନେଇ ସିଦ୍ଧୁ କରିଥିବା ଦାବି ବିରୋଧରେ ମୋ ମା’ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ନବଜୋତ ସିଂହ ଜଣେ ନିଷ୍ଠୁର ବ୍ୟକ୍ତି। ଜାନୁଆରୀ ୨୦ରେ ମୁଁ ତାଙ୍କୁ ଦେଖା କରିବାକୁ ଚାହିଁଥିଲି। ହେଲେ ସେ ମୋତେ ଦେଖା କରିବାକୁ ମନା କରି ଦେଇଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ମୁଁ ଏପରି ସାମ୍ବାଦିକ ସମ୍ମିଳନୀ କରିଛି। ସେ ମୋ ଫୋନ ନମ୍ବରକୁ ବ୍ଲକ କରିଛନ୍ତି।

ତାଙ୍କ ଘରେ କାମ କରୁଥିବା ଲୋକମାନେ ମୋ ପାଇଁ କବାଟ ଖୋଲୁ ନାହାନ୍ତି। ମୁଁ ମୋ ମା’ ପାଇଁ ନ୍ୟାୟ ଚାହେଁ। ମୋତେ ଏବେ ୭୦ ବର୍ଷ। ଏ ବୟସରେ ମୁଁ ସମସ୍ତଙ୍କ ଆଗରେ ପରିବାର ବିଷୟରେ ଖୁଲାସା କରୁଛି। ଏହା ମୋତେ କଷ୍ଟ ଦେଉଛି। ହେଲେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ।”

ସୁମନ ତୁର ସାଂଘାତିକ ଅଭିଯୋଗ ସବୁ ଆଣିଥିଲେ ମଧ୍ୟ ଏ ସମ୍ପର୍କରେ ସିଦ୍ଧୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।