ଚର୍ଚ୍ଚାରେ ପିକେ ଓ ସିଦ୍ଧୁଙ୍କ ଫଟୋ

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଗୋଟିଏ ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ପିକେ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ସେ ଦଳରେ ମିଶିବେ ନାହିଁ ବୋଲି ଟ୍ୱିଟ କରିଛନ୍ତି। ଏହାକୁ ନେଇ ରାଜନୀତିକ ସମୀକରଣ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି ସିଦ୍ଧୁ ଓ ପିକେଙ୍କ ଫଟୋ।

ସିଦ୍ଧୁ ଆଜି ଦିଲ୍ଲୀରେ ହିଁ ପିକେଙ୍କୁ ଭେଟିଛନ୍ତି। ଏହାପରେ ତାଙ୍କ ସହ ଉଠାଇଥିବା ସେଲଫିକୁ ସେ ଟ୍ୱିଟ କରି କରିଛି। ଏଥିରେ ପୁରୁଣା ବନ୍ଧୁ ଏବେ ବି ଶ୍ରେଷ୍ଠ ବୋଲି ସିଦ୍ଧୁ କହିଛନ୍ତି। ଗୋଟିଏ ପଟେ ପ୍ରଶାନ୍ତ କଂଗ୍ରେସରେ ମିଶିବେ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ସିଦ୍ଧୁ ତାଙ୍କୁ ଶ୍ରେଷ୍ଠ କହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସିଦ୍ଧୁ ଫଟୋ ସହ ଲେଖିଛନ୍ତି ଯେ “ମୋର ପୁରୁଣା ବନ୍ଧୁ ପିକେଙ୍କ ସହ ବହୁତ ସୁନ୍ଦର ବୈଠକ ହୋଇଥିଲା। ପୁରୁଣା ୱାଇନ, ପୁରୁଣା ସୁନା ଓ ପୁରୁଣା ବନ୍ଧୁ ଏବେ ବି ଶ୍ରେଷ୍ଠ!!!”

୨୦୧୭ ବିଧାନସଭା ନିର୍ବାଚନ ବେଳେ ପିକେ ହିଁ କଂଗ୍ରେସର ରଣନୀତି ପ୍ରସ୍ତୁତ କରିଥିଲେ। ଏହି ସମୟରେ ସେ ସିଦ୍ଧୁଙ୍କ ସହ ଅନେକ ଥର ବୈଠକ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୬୦ଥର ଭେଟଘାଟ ହୋଇଥିବା ସିଦ୍ଧୁ କହିଥିଲେ। ଏହି ଭେଟଘାଟ ସମୟରେ ପିକେ ହିଁ ସିଦ୍ଧୁଙ୍କୁ କୁଆଡ଼େ କଂଗ୍ରେସରେ ମିଶିବା ପାଇଁ ବାଧ୍ୟ କରିଥିଲେ। ପିକେଙ୍କ ପରାମର୍ଶ ପରେ ରାହୁଲ ଗାନ୍ଧି ମଧ୍ୟ ସିଦ୍ଧୁଙ୍କୁ ଫୋନ କରିଥିଲେ। ଏହାପରେ ସେ କଂଗ୍ରେସରେ ମିଶିଥିଲେ ବୋଲି ସିଦ୍ଧୁ କହିଥିଲେ।

ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋରଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ସହ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା। ପିକେ ମଧ୍ୟ ଦଳର ହାଇକମାଣ୍ଡଙ୍କ ସହ କଥାବାର୍ତ୍ତା ହୋଇଥିଲେ। କିନ୍ତୁ କଂଗ୍ରେସ ତାଙ୍କୁ ମୁକ୍ତ ଭାବେ କାମ କରିବାକୁ ସୁଯୋଗ ନ ଦେବାରୁ ସେ ଦଳରେ ମିଶିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।