ଭଲ ଖବର: ଏହି ଟିକାର ଗୋଟିଏ ଡୋଜ୍‌ କରୋନା ବିରୋଧରେ ୯୪% ସଫଳ

ନୂଆଦିଲ୍ଲୀ: ଭାରତ ସମେତ ବିଭିନ୍ନ ଦେଶରେ ଡେଲ୍ଟା ଭାରିଏଣ୍ଟ ଆତଙ୍କ ସୃଷ୍ଟି କରିଥିବା ବେଳେ ବୈଜ୍ଞାନିକମାନେ ଭଲ ଖବର ଦେଇଛନ୍ତି। ଏମଆରଏନ୍‌ ଟିକା ଗୁଡ଼ିକ ଏହି ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ବିରୋଧରେ ସଫଳ ବୋଲି ନୂଆ ଗବେଷଣାରୁ ଜଣାପଡ଼ିଥିବା ସେମାନେ କହିଛନ୍ତି।

ସେହିପରି ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭିର ଗୋଟିଏ ଡୋଜ୍‌ କରୋନା ବିରୋଧରେ ୯୪% ସଫଳ ହେଉଛି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ କ୍ଷେତ୍ରରେ ଏପରି ଫଳ ଦେଖିବାକୁ ମିଳିଛି। ତେଣୁ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ପାଇଁ ସ୍ପୁଟନିକ-ଭିର ଗୋଟିଏ ଡୋଜ୍‌ ଟିକା ଯଥେଷ୍ଟ। କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ଦୁଇଟି ଯାକ ଡୋଜ୍‌ ନେଲେ, ଏଥିରେ ସେତେଟା ଲାଭ ନାହିଁ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।

ନୂଆ ଗବେଷଣାରୁ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ସ୍ପୁଟନିକ-ଭି ଟିକାର ପ୍ରଥମ ଡୋଜ୍‌ ନେବାର ୨୧ ଦିନ ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଛି। ପରୀକ୍ଷାରେ ଭାଗ ନେଇଥିବା ୯୪% ଲୋକଙ୍କ କ୍ଷେତ୍ରରେ ସ୍ପାଇକ-ସ୍ପେସିଫିକ ଆଣ୍ଟିବଡି ତିଆରି ହୋଇଛି।

ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ସ୍ପୁଟନିକ-ଭିର ଗୋଟିଏ ଡୋଜ୍‌ ଉଚ୍ଚ ଆଣ୍ଟିବଡି ସ୍ତର ସୃଷ୍ଟି କରିବା ସହ ଭାଇରସ୍‌ ନିଷ୍କ୍ରିୟ କରିବାର କ୍ଷମତା ରଖିଛି। ସଂକ୍ରମିତ ହୋଇ ସାରିଥିବା ଲୋକଙ୍କ ପାଇଁ ଗୋଟିଏ ଡୋଜ୍‌ ଟିକା ଯଥେଷ୍ଟ ହୋଇଥିବା ବେଳେ ସଂକ୍ରମିତ ହୋଇ ନଥିବା ଲୋକଙ୍କ ପାଇଁ ଦୁଇଟି ଡୋଜ୍‌ ଟିକା ଜରୁରୀ ବୋଲି ବୈଜ୍ଞାନିକମାନେ ଗବେଷଣା ପରେ କହିଛନ୍ତି।

ଅନ୍ୟପକ୍ଷରେ ଏହା ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ପାଇଁ କୋଭିସିଲ୍ଡର ଗୋଟିଏ ଡୋଜ୍‌ ଯଥେଷ୍ଟ ବୋଲି ହାଇଦ୍ରାବାଦର ଏଆଇଜି ହସ୍ପିଟାଲ କହିଥିଲା। ହସ୍ପିଟାଲ ପକ୍ଷରୁ ୨୬୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ପରୀକ୍ଷା କରାଯିବା ପରେ ଏପରି ରିପୋର୍ଟ ପ୍ରକାଶ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।