ଶୁଭେନ୍ଦୁଙ୍କ ବାପା ଓ ଭାଇଙ୍କୁ କେନ୍ଦ୍ର ଦେବ Y+ ସୁରକ୍ଷା

କୋଲକାତା: ବିଜେପି ଟିକେଟରେ ନନ୍ଦିଗ୍ରାମ ଆସନରୁ ଜିତିଥିବା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ Y+ ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ବେଙ୍ଗଲର ସାଂସଦ। ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ। ସେହିପରି ତାଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ମିଶିଛନ୍ତି। ସେ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଉଭୟଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯିବ। Y+ ସୁରକ୍ଷା ମିଳିଲେ ଏହି ଦୁଇ ସାଂସଦଙ୍କ ଚାରିପାଖରେ ସିଆରପିଏଫ କମାଣ୍ଡୋମାନେ ରହିବେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନରୁ ଭୋଟ ଗ୍ରହଣ ହୋଇଥିବା ୨୯୨ଟି ମଧ୍ୟରୁ ମମତାଙ୍କ ଟିଏମସି ୨୧୩ଟିରେ ଜିତିଥିଲା। ବିଜେପି ୭୭ଟି ଆସନରେ ସୀମିତ ରହିଥିଲା। ଶୁଭେନ୍ଦୁ ଠିକ୍‌ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ।

ଦଳ ତାଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ କରିଥିଲା ଓ ସେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସେଠାରେ ହରାଇବାକୁ ସକ୍ଷମ ହୋଇଛନ୍ତି। ବିଜେପି ତାଙ୍କୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।