ନିର୍ବାଚନୀ ରାଲି ବିରୋଧରେ କୋଭିଡ ଟାସ୍କ ଫୋର୍ସ ମୁଖ୍ୟ, ଇସିଙ୍କ କୋର୍ଟରେ ବଲ୍‌

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଜନିତ ସଂକ୍ରମଣ ବଢ଼ୁଥିବା ବେଳେ ୫ ରାଜ୍ୟରେ ହେବାକୁ ଥିବା  ନିର୍ବାଚନ ପାଇଁ ପ୍ରସ୍ତୁତ ଚାଲିଛି। ନିର୍ବାଚନ ପାଇଁ ଚାଲିଥିବା ପ୍ରଚାରରେ ପ୍ରବଳ ଭିଡ଼ ଜମୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ନିର୍ବାଚନୀ ରାଲି ଓ ରୋଡ ଶୋ’ ଭଳି ବିଶାଳ ଜନସମାଙ୍ଗନ ହେଉଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ କହିଛନ୍ତି ନୀତି ଆୟୋଗ ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଭିକେ ପଲ୍‌।

ସେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ରାଲି ଓ ରୋଡ ଶୋ’ ପାଇଁ ଅନୁମତି ଦେବା ଠିକ ହେବନି ବୋଲି ଶ୍ରୀ ପଲ ପରାମର୍ଶ ଦେଇଛନ୍ତି।

ତେବେ ନିର୍ବାଚନ କମିଶନ ଏହି ସବୁ ଭିଡ଼ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା କାମ ରାଜନୀତିକ ଦଳଗୁଡ଼ିକ ନିଜ ଆଡ଼ୁ ନେବା ଦରକାର ବୋଲି ଚାହୁଁଛନ୍ତି। ଏହାର ଅର୍ଥ ରାଜନୀତିକ ଦଳର କାର୍ଯ୍ୟକ୍ରମ ଉପରେ ଇସି ହସ୍ତକ୍ଷେପ କରିବା ମୁଡରେ ନାହାନ୍ତି।

ଏହାପୂର୍ବରୁ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କରୋନା ବିରୋଧୀ ଟିକାକରଣ ଜୋରଦାର କରିବାକୁ କହିଥିଲେ କମିଶନ। ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଣିପୁରରେ ଟିକାକରଣ ହାର ଯଥେଷ୍ଟ କମ ରହିଛି। ତେବେ ଗୋଆ ଓ ଉତ୍ତରାଖଣ୍ଡରେ ଶତପ୍ରତିଶତ ଟିକାକରଣ ହୋଇଥିବା ଦାବି କରାଯାଉଛି।

କିନ୍ତୁ ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପୁଛି। ଏହା ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାକୁ ମଧ୍ୟ ସକ୍ଷମ। ତେଣୁ ଏପରି ସ୍ଥିତିରେ ଟିକାକରଣ ଦ୍ୱାରା ସଂକ୍ରମଣକୁ ରୋକା ଯାଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।

ନିର୍ବାଚନ କମିଶନ ସଂକ୍ରମଣକୁ କମ କରିବା ପାଇଁ ନିର୍ବାଚନ କାମରେ ନିୟୋଜିତ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନଙ୍କର ଟିକାକରଣ ଶେଷ କରିବା ସହ ବୁଥ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ନିର୍ବାଚନ କମିଶନ ଦେଶର କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ବୈଠକ ମଧ୍ୟ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ବି ଆଲୋଚନା ହୋଇଛି।

ଗତବର୍ଷ ଏପ୍ରିଲ ମାସରେ କରୋନାର ଦ୍ୱିତୀୟ ୱେଭରେ ଦେଶବାସୀ ଛଟପଟ ହେଉଥିଲେ। ଏହି ସମୟରେ ବେଙ୍ଗଲ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରାଯାଇଥିଲା। ତେବେ ଗୋଟିଏ ରାଲି ସର୍ବାଧିକ ୫୦୦ ଲୋକ ଯୋଗ ଦେଇପାରିବେ ବୋଲି କମିଶନ ସର୍ତ୍ତ ରଖିଥିଲେ। ହେଲେ ରାଜନୀତିକ ଦଳର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା। ଏବେ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।