ବିଧାୟକ ସୋମନାଥ ଭାରତୀ ନିରାଶ, ୨ ବର୍ଷର ଜେଲ୍ ଦଣ୍ଡ କାଏମ

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଝଟକା ଲାଗିଛି। ୨୦୧୬ରେ ଏମ୍ସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ଅପରାଧରେ ତାଙ୍କୁ ମିଳିଥିବା ୨ ବର୍ଷର ଜେଲଦଣ୍ଡକୁ ଦିଲ୍ଲୀର ଗୋଟିଏ କୋର୍ଟ କାଏମ ରଖିଛନ୍ତି। ଏହି ରାୟ ପରେ ଦିଲ୍ଲୀ ପୁଲିସ୍‌ ସୋମନାଥଙ୍କୁ ନିଜ ହେପାଜତକୁ ନେଇଛି।

କୋର୍ଟ ଆଇପିସିର ଧାରା ୧୪୯, ୧୪୭ ଓ ପ୍ରିଭେନସନ ଅଫ ଡ୍ୟାମେଜ ଟୁ ପବ୍ଲିକ ପ୍ରପୋଟି ଆଇନର ସେକସନ ୩ ଅନୁଯାୟୀ ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି। ଏହି ଘଟଣାରେ ପ୍ରଥମେ ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ୨୦୨୧ ଜାନୁଆରୀ ମାସରେ ସୋମନାଥଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।


ଏଥିସହ ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଥିଲେ। ଏହା ବିରୋଧରେ ସେ ଉପରସ୍ଥ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଆଜି କୋର୍ଟ ଏହି ରାୟକୁ କାଏମ ରଖିଛନ୍ତି। ମେଟ୍ରୋପଲିଟାଣ୍ଟ କୋର୍ଟ ଦଣ୍ଡବିଧାନ କରିଥିଲେ ହେଁ ତାଙ୍କୁ ଉପର କୋର୍ଟରେ ଆବେଦନ କରିବାକୁ ଜାମିନ ମିଳିଥିଲା।

ସରକାରୀ ଓକିଲ ଦେଇଥିବା ଦସ୍ତାବିଜ ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ୯ରେ ସୋମନାଥ ଭାରତୀୟଙ୍କ ସହ ଆଉ ୩୦୦ ଲୋକ ଗୋଟିଏ ଜେସିବି ଦ୍ୱାରା ଏମ୍ସର ପାଚେରୀ ଭାଙ୍ଗି ଦେଇଥିଲେ। ଏହାକୁ ବିରୋଧ କରିବା ବେଳେ ସୋମନାଥ ଭାରତୀ ଏମ୍ସର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିଲେ।

ଏଥିପାଇଁ ଏମ୍ସର ମୁଖ୍ୟ ସୁରକ୍ଷା ଅଧିକାରୀ ଆରଏସ୍‌ ରାୱତ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସୋମନାଥଙ୍କ ସହ ଅଭିଯୁକ୍ତ ଥିବା ଜଗତ ସୈନି, ଦିଲ୍ଲୀପ ଝା, ସନ୍ଦୀପ ସୋନୁ ଓ ରାକେଶ ପାଣ୍ଡେଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।