ଉପରେ ପଡ଼ି କହୁଥିଲେ ସ୍ମୃତି ଇରାନୀ, ଭଲ କି ଶୁଣାଇଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ଶବ୍ଦକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ଅବଶ୍ୟ ସେ ନିଜର ଶବ୍ଦ ପାଇଁ କ୍ଷମା ମାଗିବାକୁ ରାଜି ହୋଇଯାଇଛନ୍ତି। ହେଲେ ତାଙ୍କର ଏହି ବୟାନକୁ ନେଇ ଆଜି ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ବେଶ କଥା କଟାକଟି ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୂରା ପ୍ରସଙ୍ଗରେ ସୋନିଆ ଗାନ୍ଧିଙ୍କୁ ଦାୟୀ କରିବା ସହ ତୀବ୍ର ସମାଲୋଚନା କରିଥିଲେ। ତଥାପି ସୋନିଆ ତାଙ୍କୁ କିଛି ବି କହି ନଥିଲେ। ହେଲେ ସେ ଗୃହ ମୁଲବତୀ ପରେ ମଧ୍ୟ ନିଜର ଉପର ପଡ଼ିବା ନୀତି ଦେଖାଇବାରୁ ସୋନିଆ ତାଙ୍କୁ ଭଲ କି ଶୁଣାଇଛନ୍ତି। ଏପରି କି ‘ମୋ ସହ ତୁମେ କଥା ହୁଅନି’ ବୋଲି ମଧ୍ୟ ସୋନିଆ କହିବାକୁ ପଛାଇ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦିନ ୧୨ଟା ବେଳେ ଅଧିର ରଞ୍ଜନ ଚୌଧୁରୀଙ୍କ ପ୍ରସଙ୍ଗକୁ ନେଇ ଲୋକସଭାକୁ ବାଚସ୍ପତି ଓମ ବିର୍ଲା ମୁଲତବୀ ଘୋଷଣା କରିଥିଲେ। ତଥାପି ବିଜେପି ସାଂସଦମାନେ ଅଧିର ରଞ୍ଜନ ଚୌଧୁରୀଙ୍କ ବୟାନ ପାଇଁ ସୋନିଆ ଗାନ୍ଧି ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ନାରାବାଜୀ କରିଥିଲେ।

ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋନିଆ ଗାନ୍ଧି ବିଜେପିର ମହିଳା ସାଂସଦ ରମା ଦେବୀଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ବେଶ ଶାନ୍ତ ଭାବେ ଚୌଧୁରୀ ନିଜର ବୟାନ ପାଇଁ କ୍ଷମା ମାଗିଛଛନ୍ତି ବୋଲି ରମା ଦେବୀଙ୍କୁ କହିଥିଲେ। ଏଥିସହ ପୂରା ପ୍ରସଙ୍ଗରେ ତାଙ୍କ ନାଁ କାହିଁକି ଗୃହରେ ଉଠୁଛି ବୋଲି ସୋନିଆ ପଚାରିଥିଲେ। ମୋ ଭୁଲ କ’ଣ ବୋଲି ମଧ୍ୟ ପଚାରିଥିଲେ। ସୋନିଆ ଓ ରମା ଦେବୀ କଥା ହେଉଥିବା ବେଳେ ସ୍ମୃତି ଇରାନୀ ଉପରେ ପଡ଼ି ଏଥିରେ ହସ୍ତକ୍ଷେପ କରିଥିଲେ।

ସେ ପଛ ପଟେ ଥାଇ କହିଥିଲେ ଯେ “ମାଡାମଳ ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ କି? ମୁଁ ଆପଣଙ୍କ ନାଁ ଉଠାଇଥିଲି।” ସୋନିଆ ଏହା ଶୁଣି ତୁରନ୍ତ ତାଙ୍କ ଆଡ଼କୁ ବୁଲି ଯାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ସେ କହିଥିଲେ ‘ମୋ ସହ ତୁମେ କଥା ହୁଅନି।” ଏହାର ଜବାବ ମଧ୍ୟ ସ୍ମୃତି ଇରାନୀ ଦେବାରୁ ଉଭୟଙ୍କ ମଧ୍ୟରେ ୨ରୁ ୩ ମିନିଟ ଧରି ଯୁକ୍ତିତର୍କ ହୋଇଥିଲା।

ଏହା ଦେଖି କିଛି ମନ୍ତ୍ରୀ, ଟିଏମସି ସାଂସଦ ମହୁଆ ମୌତ୍ର, ଏନସିପର ସୁପ୍ରିୟା ସୁଲେ, ବିଜେପିର ପ୍ରହ୍ଲାଦ ଯୋଶୀ ଓ ଅର୍ଜୁନ ମେଘାୱାଲ ହସ୍ତକ୍ଷେପ କରିଥିଲେ। ସେମାନଙ୍କ ହସ୍ତକ୍ଷେପ ଯୋଗୁ ମାମଲା ଥଣ୍ଡ ପଡ଼ିଥିଲା। କଂଗ୍ରେସ ସାଂସଦ ଗୀତା କୋରା ଓ ଜ୍ୟୋତ୍ସା ମହନ୍ତ ଦାବି କରିଛନ୍ତି ଯେ ସ୍ମୃତି ଇରାନୀ ଓ ବିଜେପିର କିଛି ପୁରୁଷ ସାଂସଦ ଲୋକସଭା ଭିତରେ ସୋନିଆ ଗାନ୍ଧିଙ୍କୁ ଦୁର୍ବବ୍ୟବହାର କରିଛନ୍ତି।

ଅନ୍ୟପକ୍ଷରେ ବିଜେପିର ମହିଳା ସାଂସଦମାନେ ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବେ ବୋଲି ଜଣାପଡ଼ିଛି। ସେହିପରି ସେମାନେ ଅଧିରଙ୍କ ବୟାନ ପାଇଁ ସୋନିଆଙ୍କ କ୍ଷମା ମାଗିବା ଦାବିରେ ଅଟଳ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।