ମେଡିକାଲ ଚେକ-ଅପ ପାଇଁ ପୁଅ ଓ ଝିଅଙ୍କ ସହ ବିଦେଶ ଯିବେ ସୋନିଆ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଖୁବଶୀଘ୍ର ବିଦେଶ ଗସ୍ତ କରିବେ। ବିଦେଶରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ସେ ଯାଉଛନ୍ତି। ତାଙ୍କ ସହ ପୁଅ ରାହୁଲ ଓ ଝିଅ ପ୍ରୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବିଦେଶ ଗସ୍ତ କରିବେ। ତେବେ ପରିବାର ଲୋକଙ୍କ ସହ ସୋନିଆ କେଉଁ ଦେଶକୁ ଯିବେ ଓ କେବେ ଯିବେ ସେକଥା ଜଣାପଡ଼ିନି। କେବଳ ସୋନିଆ, ରାହୁଲ ଓ ପ୍ରିୟଙ୍କା ମେଡିକାଲ ଚେକଅପ ପାଇଁ ବିଦେଶ ଗସ୍ତରେ ଯିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ତାରିଖ ଓ ସ୍ଥାନ ସମ୍ପର୍କରେ କୁହାଯାଇ ନଥିଲେ ମଧ୍ୟ ସେପ୍ଟେମ୍ବର ୪ରେ ରାହୁଲ ଗାନ୍ଧି ମହଙ୍ଗା ମାଡ଼ ବିରୋଧରେ କଂଗ୍ରେସ କରିବାକୁ ଯାଉଥିବା ରାଲିରେ  ସମ୍ବୋଧନ କରିବେ ବୋଲି ଦଳ କହିଛି। ଏହାର ଅର୍ଥ ଚଳିତ ସପ୍ତାହରେ ସୋନିଆ ବିଦେଶ ଗସ୍ତ କରି ସେପ୍ଟେମ୍ବର ୪ ସୁଦ୍ଧା ଫେରିବେ ବୋଲି ଆକଳନ କରାଯାଉଛି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଗୋଟିଏ ବିବୃତିରେ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମେଡିକାଲ ଚେକଅପ ପାଇଁ ବିଦେଶ ଗସ୍ତ କରିବେ। ସେ ଦିଲ୍ଲୀ ଫେରିବା ପୂର୍ବରୁ ନିଜର ଅସୁସ୍ଥ ମା’ଙ୍କୁ ମଧ୍ୟ ଭେଟିବେ। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ବିଦେଶ ଗସ୍ତରେ ଯିବେ। ତେବେ ସେପ୍ଟେମ୍ବର ୪ରେ କଂଗ୍ରେସର ମହାଙ୍ଗାଇ ପର ହାଲ୍ଲାବୋଲ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ।”

ମହଙ୍ଗା ମାଡ଼ ବିରୋଧରେ କାର୍ଯ୍ୟକ୍ରମ ସହ କଂଗ୍ରେସ ୭ ତାରିଖରୁ ଭାରତ ଯୋଡ଼ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟକ୍ରମ କରି କଂଗ୍ରେସ ଲୋକଙ୍କ ଭରସା ଜିତିବାକୁ ଲକ୍ଷ୍ୟ ରଖିଛି। ସେହିପରି ଦଳର ସ୍ଥାୟୀ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି। ଏସବୁ ଭିତରେ ଗାନ୍ଧି ପରିବାର ବିଦେଶ ଗସ୍ତରେ ଯାଉଥିବା ଖବର ସାମ୍ନାକୁ ଆସିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।