କଂଗ୍ରେସ ସାଂସଦଙ୍କ ବୈଠକରେ ବିଦ୍ରୋହୀଙ୍କୁ ଏକତା ପାଠ ପଢ଼ାଇଲେ ସୋନିଆ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ମାନସମନ୍ଥନ ଆରମ୍ଭ କରିଛନ୍ତି ଦଳୀୟ ହାଇକମାଣ୍ଡ। ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦଳୀୟ ସାଂସଦମାନଙ୍କୁ ଭବିଷ୍ୟତର କାର୍ଯ୍ୟକ୍ରମ ପାଇଁ ଗୁରୁମନ୍ତ୍ରଣା ଦେଇଛନ୍ତି। ଏଥିସହ କଂଗ୍ରେସ ବିଦ୍ରୋହୀଙ୍କୁ ସେ ବାଣ ମଧ୍ୟ ମାରିଛନ୍ତି।

ଆଗକୁ ଆହୁରି କଠୋନର ସମୟରେ ସାମ୍ନା କରିବାକୁ ପଡ଼ିବ। ତେଣୁ ଦଳୀୟ ନେତାଙ୍କୁ ସବୁ ସ୍ତରରେ ଏକାଠି ହେବାର ଆବଶ୍ୟକ ରହିଛି ବୋଲି ସୋନିଆ କହିଛନ୍ତି। ଏହାବାଦ ସେ ନିକଟରେ କଂଗ୍ରେସର ନିର୍ବାଚନ ବିପର୍ଯ୍ୟୟକୁ “ଆଶ୍ଚର୍ଯ୍ୟଜନକ ଓ ଯନ୍ତ୍ରଣାଦାୟକ” ଭାବେ ଅବିହିତ କରିଛନ୍ତି।

ବୈଠକରେ ସାଂଗଠନିକ ପରିବର୍ତ୍ତନ କଥା କହି ବିଦ୍ରୋହୀ ଗ୍ରୁପର ମାନ୍ୟତା ପାଇଥିବା ତଥାକଥିତ ଜି-୨୩ ନେତାଙ୍କୁ ଇଙ୍ଗିତ କରି ସୋନିଆ କହିଛନ୍ତି, “କଂଗ୍ରେସକୁ କେମିତି ସଶକ୍ତ କରାଯିବ, ସେନେଇ ଅନେକ ପ୍ରସ୍ତାବ ଆସିଛି। ବର୍ତ୍ତମାନ ଏହି ପ୍ରସ୍ତାବ ଗୁଡ଼ିକ ଉପରେ କାମ ମଧ୍ୟ ଆରମ୍ଭ କରାଯାଇଛି।

ନିକଟରେ ସାମ୍ନାକୁ ଆସିଥିବା ନିର୍ବାଚନ ଫଳାଫଳରେ ଆପଣମାନେ କେତେ ହତାଶ ହୋଇଛନ୍ତି, ସେକଥା ମୁଁ ଭଲ ଭାବେ ଜାଣିଛି। ଏହା ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ ଓ ଆଶ୍ଚର୍ଯ୍ୟଜନକ। ଆମ ମାନଙ୍କର ପ୍ରତିବଦ୍ଧତା, ସମର୍ପଣ ଓ ଧୈର୍ଯ୍ୟ ବର୍ତ୍ତମାନ ଏକ ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି।

ଆମେ କଠିନ ପରୀକ୍ଷାର ସମ୍ମୁଖୀନ ହେଉଛେ। ତେଣୁ ଆମ ବିଶାଳ ସଂଗଠନ ସବୁସ୍ତରରେ ଏକାଠି ହୋଇ ରହିବା ହିଁ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏକତା ବିନା କିଛି ବି ସମ୍ଭବପର ନୁହେଁ। ଦଳକୁ ଏକାଠି ରଖିବା ପାଇଁ ଆପଣମାନେ ଯେତେବେଳେ ବି ଚାହିଁବେ ମୋ ସହ କଥା ହୋଇପାରିବେ। ଏକତା ବଜାୟୀ ରଖିବା ପାଇଁ ମୁଁ ସବୁବେଳେ ପ୍ରତିବଦ୍ଧ।”

୫ ରାଜ୍ୟର ବିପର୍ଯ୍ୟୟ ପରେ କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲ୍ୟୁସି) ବୈଠକ ବସିଥିଲା। ଆଜି ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେବା ବେଳେ ସୋନିଆ ଉକ୍ତ ବୈଠକ କଥା ମଧ୍ୟ ଉଠାଇଥିଲେ। ସେ କହିଛନ୍ତି, ଆମ ପ୍ରଦର୍ଶନର ସମୀକ୍ଷା କରିବାକୁ ଥରେ ମାତ୍ର ସିଡବ୍ଲ୍ୟସି ବୈଠକ ବସିଥିଲା। ମୁଁ ମଧ୍ୟ ମୋର ଅନ୍ୟ ସହଯୋଗୀମାନଙ୍କୁ ଭେଟିଛି। ଏହି ସମୟରେ କଂଗ୍ରେସକୁ ସଶକ୍ତ କରିବାକୁ ଅନେକ ପ୍ରସ୍ତାବ ପାଇଛି।

ମିଳିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରୁ କିଛିଟା ଉପରେ କାମ ମଧ୍ୟ ଆରମ୍ଭ ହୋଇଛି। ସିଡବ୍ଲ୍ୟୁସି ବୈଠକରେ ଗୋଟିଏ ଚିନ୍ତନ ଶିବିର ପାଇଁ ନିଷ୍ପତ୍ତି ହୋଇଛି। ଏହା ବର୍ତ୍ତମାନ ସମୟରେ ଜରୁରୀ। ଏହି ଚିନ୍ତନ ଶିବିରରେ ଅଧିକ ସଂଖ୍ୟକ ସହଯୋଗୀ ଓ ଦଳୀୟ ପ୍ରତିନିଧିଙ୍କ କଥା ଶୁଣିବାକୁ ସୁଯୋଗ ମିଳିବ। ଆମେ ବର୍ତ୍ତମାନ ସମୟରେ ସାମ୍ନା କରୁଥିବା ଚ୍ୟାଲେଞ୍ଜକୁ ମୁକାବିଲା କରି ଆଗକୁ ବଢ଼ିବା।

ଏଥିପାଇଁ ସମସ୍ତଙ୍କ କଥା ଶୁଣିବା ପରେ ହିଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ। ପୂର୍ବ ଅପେକ୍ଷା ଆଗକୁ ଆହୁରି କଠିନ ସମୟର ସାମ୍ନା  ସମସ୍ତଙ୍କୁ କରିବାକୁ ପଡ଼ିବ। କଂଗ୍ରେସ ପୁରୁଣା ଫର୍ମକୁ ଫେରିବା କେବଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ଆମ ଗଣତନ୍ତ୍ର ପାଇଁ ମଧ୍ୟ ଜରୁରୀ। ଆମ ସମାଜ ପାଇଁ ମଧ୍ୟ ଆମକୁ ପୁର୍ନଜୀବିତ ହେବାକୁ ପଡ଼ିବ ବୋଲି ସୋନିଆ କହିଛନ୍ତି।

ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସାଂସଦ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।