ସ୍ପେନ୍ ଖବରକାଗଜରେ ଭାରତର ବିକାଶ ଚିତ୍ରକୁ ନେଇ ବିବାଦ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ସ୍ପେନ୍ ଖବରକାଗଜରେ ପ୍ରକାଶ ପାଇଥିବା ଏକ ଆର୍ଟିକେଲ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି । ଚାରିଆଡୁ ଉକ୍ତ ଖବରକାଗଜକୁ ନିନ୍ଦା କରାଯାଇଛି।

ବାସ୍ତବରେ, ସ୍ପେନର ସାପ୍ତାହିକ ଖବରକାଗଜ ‘La Vanguardia’ର ପ୍ରଥମ ପୃଷ୍ଠାରେ ଭାରତର ବଢ଼ୁଥିବା ଅର୍ଥନୀତି ବିଷୟରେ ଖବର ପ୍ରକାଶ ପାଇଥିଲା। ତେବେ ଏଥିରେ ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ଜଣେ ବୀଣା ବଜାଉଥିବା ସାପୁଆ ଆକରରେ ଚିତ୍ରିତ କରି ଦର୍ଶାଯାଇଥିଲା। ଆଉ ଏହାର ହେଡ୍‌ଲାଇନ୍‌ରେ ‘ଭାରତୀୟ ଅର୍ଥନୀତିର ସମୟ’ ଲେଖାଯାଇଥିଲା।

ଅକ୍ଟୋବର ୯ ତାରିଖରେ ଏହି ଆର୍ଟିକେଲ୍ ପ୍ରକାଶ ପାଇଥିଲା। ତେବେ ଏହାକୁ ନେଇ ଏବେ ବିବାଦ ଉପୁଜିଛି । ବିଜେପି ସାଂସଦଙ୍କ ଠାରୁ ଆରମ୍ଭ କରି ଅନେକ ଲୋକେ ଏହାକୁ ବିରୋଧ କରିଛନ୍ତି।

ବେଙ୍ଗାଲୁରୁ ସେଣ୍ଟ୍ରାଲର ବିଜେପି ସାଂସଦ ଟ୍ୱିଟ୍ କରି ଏହି ଖବରକାଜରରେ ପ୍ରକାଶ ପାଇଥିବା ଆର୍ଟିକେଲର ଫଟୋକୁ ଶେଆର କରିଛନ୍ତି। ଆଉ କହିଛନ୍ତି, ‘ଯେଉଁ ସମୟରେ ଭାରତର ମଜଭୁତ ଅର୍ଥନୀତି ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କରୁଛି, ସେଠି ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ସାପୁଆ ମାଧ୍ୟମରେ ଭାରତର ଚିତ୍ରକୁ ଦେଖାଇବା ମୂର୍ଖାମୀ । ବିଦେଶୀ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଅତ୍ୟନ୍ତ କଷ୍ଟକର।’

Zerodhaର ସିଇଓ ନୀତିନ କାମତ ମଧ୍ୟ ସମ୍ପୃକ୍ତ ସ୍ପେନ୍ ଖବରକାଗଜ ଉପରେ ବର୍ଷିଛନ୍ତି । ସେ ଟ୍ୱିଟି୍ କରି କହିଛନ୍ତି, ‘ଏହା ଏକ ଭଲ କଥା ଯେ ଭାରତୀୟ ଅର୍ଥନୀତି ପ୍ରତି ବିଶ୍ୱ ଧ୍ୟାନ ଦେଉଛି, କିନ୍ତୁ ସାପୁଆ କେଳା କାର୍ଟୁନ୍ ମାଧ୍ୟମରେ ଭାରତକୁ ଦେଖାଇବା ଅପମାନଜନକ।’

ସେପଟେ ସୋଶାଲ ମିଡିଆ ୟୁଜର୍ସ ମଧ୍ୟ ଏହି ଆର୍ଟିକେଲକୁ ନେଇ ଆପତ୍ତି ଉଠାଇଛନ୍ତି। ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଏହାକୁ ନେଇ ବିରୋଧ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।