ଦୁର୍ଗା ବିସର୍ଜନ ପାଇଁ ଯାଉଥିଲେ, ଲୋକଙ୍କ ଉପରେ ମାଡ଼ିଗଲା କାର୍‌

ରାୟପୁର: ଦଶହରାରେ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ର ଜଶପୁର ଜିଲ୍ଲାର ପାଥଲ ଗାଁରେ ଦୁର୍ଗା ବିସଜର୍ନ ପାଇଁ ଯାଉଥିବା ଲୋକଙ୍କ ଉପରେ ଦ୍ରୁତଗାମୀ କାର୍‌ ମାଡ଼ି ଯାଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରୁ ୪ ଜଣ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି। କାର୍‌ ପଛପଟୁ ଲୋକଙ୍କ ଉପରେ କେମିତି ମାଡ଼ି ଯାଉଛି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓ ଅନୁଯାୟୀ, ଲୋକମାନେ କୀର୍ତ୍ତନ କରି ବିସର୍ଜନ ପାଇଁ ଯାଉଥିଲେ। ଏହି ସମୟରେ ଗୋଟିଏ ଦ୍ରୁତଗାମୀ ନାଲି ରଙ୍ଗର କାର୍‌ ପଛପଟୁ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। କାର୍‌ ଧକ୍କାରେ ଅନେକ ଲୋକ ଛିନଛତ୍ର ହୋଇ ତଳେ ପଡ଼ି ଯାଇଥିଲେ। ତଥାପି କାର୍‌ଟି ଖୁବ ଜୋର୍‌ରେ ଆଗକୁ ମାଡ଼ି ଯାଇଥିଲା।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ସ୍ଥାନୀୟ ଅଞ୍ଚଳର କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍‌ର ଡ୍ରାଇଭରଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ସ୍ଥିତିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।