ସପାର ଆଶଙ୍କା, ୟୁପି ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରି ନିଆଯିବ ବୋଲି କହିଥିଲେ ମଧ୍ୟ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ଏସବୁ ଭିତରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବିଜେପି ସାଂସଦ ସାକ୍ଷୀ ମହାରାଜ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦରକାର ପଡ଼ିଲେ ପୁଣିଥରେ ଦେଶରେ କୃଷି ଆଇନ ଲାଗୁ କରାଯିବ ବୋଲି ସେମାନେ କହିଛନ୍ତି। ଏହାପରେ ସମାଜବାଦୀ ପାର୍ଟି ମଧ୍ୟ ବିଜେପିକୁ ଟାର୍ଗେଟ କରି ୟୁପି ନିର୍ବାଚନ ପରେ ପୁଣିଥରେ କୃଷି ଆନକୁ ଲାଗୁ କରାଯିବ ବୋଲି ଆଶଙ୍କା କରିଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରି କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ। କିନ୍ତୁ ଆନ୍ଦୋଳନରତ ଚାଷୀମାନେ ସଂସଦରେ ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ନ ହେବା ଯାଏ ବିକ୍ଷୋଭ ଜାରି ରହିବ ବୋଲି କହିଛନ୍ତି। ଏଥିସହ ଏମଏସପି ଉପରେ ଆଇନଗତ ମାନ୍ୟତା ଓ ଇଲେକ୍ଟ୍ରିସିଟି ସଂଶୋଧନ ବିଲ୍‌ ୨୦୨୦କୁ ପ୍ରତ୍ୟାହାର ପାଇଁ ମଧ୍ୟ ଚାଷୀମାନେ ଦାବି କରିଛନ୍ତି।

ଏସବୁ ଭିତରେ ସମାଜବାଦୀ ପାର୍ଟି ଟ୍ୱିଟ କରି କହିଛି ଯେ “ସେମାନଙ୍କ ହୃଦୟ ଆଦୌ ନିର୍ମଳ ନୁହେଁ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ନିର୍ବାଚନ ପରେ ସେମାନେ ପୁଣିଥରେ କୃଷି ବିଲ୍‌ ଆଣିବେ। ସାମ୍ବିଧାନିକ ପଦରେ ରହି ମଧ୍ୟ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ଯେ ବିଜେପି ସରକାର ପୁଣିଥରେ କୃଷି ବିଲ୍‌ ଆଣିପାରନ୍ତି। ଚାଷୀଙ୍କୁ ମିଛ କ୍ଷମା ପ୍ରାର୍ଥନା କରୁଥିବା ଲୋକମାନଙ୍କର ଅସଲ ଚେହେରା ଏବେ ଧରାପଡ଼ିଛି। ଚାଷୀମାନେ ୨୦୨୨ରେ ନିଶ୍ଚିତ ପରିବର୍ତ୍ତନ ଆଣିବେ।”

ସୂଚନାଯୋଗ୍ୟ, ଶନିବାର କଲରାଜ ମିଶ୍ର କହିଥିଲେ ଯେ କୃଷି ଆଇନରେ ଥିବା ନିୟମ ଓ ସକାରାତ୍ମକ ଦିଗକୁ ଚାଷୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ଚାଷୀମାନେ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ। ତେଣୁ ସରକାର ବର୍ତ୍ତମାନ ସ୍ଥିତିରେ ଆଇନକୁ ପ୍ରତ୍ୟାହାର କରିଛନ୍ତି। ଏହା ଏକ ଭଲ ପଦକ୍ଷେକ। କିନ୍ତୁ ଭବିଷ୍ୟତରେ ଦରକାର ପଡ଼ିଲେ ପୁଣି ଏହାକୁ ଲାଗୁ କରାଯିବ ବୋଲି ସେ କହିଛନ୍ତି।

ସେହିପରି ସାଂସଦ ସାକ୍ଷୀ ମହାରାଜ କହିଥିଲେ ଯେ “ବିଲ ତିଆରି ହୁଏ ଓ ପ୍ରତ୍ୟାହାର ମଧ୍ୟ କରାଯାଏ। ବିଲ୍‌ ପୁଣି ଆସିବ ଓ ଏହାକୁ ଲାଗୁ କରାଯିବ। କିଛି ସମୟ ମଧ୍ୟରେ ବିଲ୍‌ ପୁଣି ତିଆରି ହେବ। ଏଥିପାଇଁ କୌଣସି ପ୍ରକାରର ସମୟ ଲାଗେନି। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିଜ ବଡ଼ ପଣିଆର ଉଦାହରଣ ଦେଇ ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସେ ଆଇନ ବଦଳରେ ଦେଶକୁ ବାଛିଛନ୍ତି। ଯେଉଁମାନଙ୍କ ଉଦ୍ଦେଶ୍ୟ ଖରାପ ଥିଲା, ଯେଉଁମାନେ ପାକିସ୍ତାନ ଓ ଖଲିସ୍ତାନ ଜିନ୍ଦାବାଦ କହୁଥିଲେ, ସେମାନଙ୍କୁ ଉଚିତ ଜବାବ ମିଳିଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।