ଟିକେଟ ନ ମିଳିବାରୁ ବିଜେପି ଅଫିସ ପାଲଟିଲା ରଣକ୍ଷେତ୍ର, ପୁଲିସ୍‌ର ଲାଠିଚାର୍ଜ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଟିକେଟ ନପାଇବାରୁ ବିଜେପି କର୍ମୀମାନେ କୋଲକାତାରେ ଥିବା ଦଳୀୟ ନିର୍ବାଚନ କାର୍ଯ୍ୟାଳୟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ ଆଶାୟୀ ଓ ସେମାନଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ନେତାମାନଙ୍କୁ ଟେକା ପଥର ମଧ୍ୟ ମାଡ଼ କରିଛନ୍ତି। ସ୍ଥିତି ଅଧିକ ବିଗିଡ଼ିବାରୁ ପୁଲିସ୍‌ ବାଧ୍ୟ ହୋଇ ବିଜେପି କର୍ମୀଙ୍କ ଉପରେ ଲାଠି ମଧ୍ୟ ଚାର୍ଜ କରିଛି।

କୋଲକାତାରେ ଥିବା ବିଜେପିର ଇଲେକ୍ସନ ଅଫିସ ବାହାରେ ଗତକାଲି ଠାରୁ ଟିକେଟ ଆଶାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହେଲେ ଦଳର ବରିଷ୍ଠ ନେତାମାନେ ଏହା ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି। ଆଜି ଅଫିସ ଭିତରେ ଜଣେ ନେତାଙ୍କୁ ଦେଖି ବିଜେପି କର୍ମୀ ଓ ଟିକେଟ ଆଶାୟୀମାନେ ତାଙ୍କ ଉପରକୁ ପଥର ମାଡ଼ କରିବା ଆରମ୍ଭ କରିଥିଲେ। ଏଥିପାଇଁ ପୁଲିସ ପଥର ମାଡ଼ କରୁଥିବା ୬ ଜଣଙ୍କୁ ଅଟକ ରଖିଛି।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, “ବିଜେପି କର୍ମୀମାନେ କେବେ ହେଲେ ହିଂସା ସୃଷ୍ଟି କରିପାରିବେ ନାହିଁ। ଏହା ପଛରେ ନିଶ୍ଚିତ କିଛି ଷଡ଼ଯନ୍ତ୍ର ରହିଛି।” ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି ହାତରେ ସ୍ଲିପର ଧରି ଗଲ୍ଫ କ୍ୟାପ୍‌ ପିନ୍ଧିଥିବା ଆଉ ଜଣେ ବ୍ୟକ୍ତିଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି। ପୁଲିସ୍‌ ତାଙ୍କୁ ଅଫିସ ଭିତରକୁ ନେବା ବେଳେ କିଛି ଲୋକ ଟେକା ପଥର ମଧ୍ୟ ମାଡ଼ କରିଥିଲେ।

ପୁଲିସ୍‌ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା। ପୁଲିସ୍‌ର ଲାଠିଚାର୍ଜ ପରେ ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିବା ଦଳୀୟ କର୍ମୀମାନେ ଛତ୍ରଭଙ୍ଗ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।