ଭାଇରାଲ ହେଲା ଚକୋଲେଟ ଚୋରିର ଭିଡିଓ, ଜୀବନ ହାରିଲେ କଲେଜ ଛାତ୍ରୀ

କୋଲକାତା: ସୋଶାଲ ମିଡିଆରେ ନିଜ ଚୋରି ବେଳର ଭାଇରାଲ ଭିଡିଓକୁ ଦେଖି ଚରମ ପଦକ୍ଷେପ ନେଇଛନ୍ତି ଜଣେ କଲେଜ ଛାତ୍ରୀ। ସେ ଗୋଟିଏ ଶପିଂ ମଲରୁ ଚକୋଲେଟ  ଚୋରି କରିଥିଲେ। ଚୋରି ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରୁ ଛାତ୍ରୀ ଜଣଙ୍କ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରିଛନ୍ତି। ପଶ୍ଚିମବଙ୍ଗର ଅଲୀପୁରଦୌର ଜିଲ୍ଲାରେ ଏପରି ଘଟଣା ଘଟିଛି।

ଜାଇଗାଓଁ ପୁଲିସ ଷ୍ଟେସନ ଅଧୀନରେ ଥିବା ସୁଭାଷ ପାଲ୍ଲୀ ଅଞ୍ଚଳରେ ଛାତ୍ରୀ ଜଣଙ୍କ ରହୁଥିଲେ। ସେ +୩ ତୃତୀୟ ବର୍ଷର ଛାତ୍ରୀ। ପୁଲିସ ରବିବାର ରାତିରେ ତାଙ୍କ ଘର ମଧ୍ୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ଅଧିକ ତଦନ୍ତ କରାଯାଉଛି ବୋଲି ଓଆଇସି ପ୍ରବୀର ଦତ୍ତ କହିଛନ୍ତି।

ଛାତ୍ରୀ ଜଣଙ୍କ ସେପ୍ଟେମ୍ବର ୨୯ରେ ତାଙ୍କ ଘର ପାଖରେ ଥିବା ଶପିଂ ମଲକୁ ଯାଇଥିଲେ। ଏହି ସମୟରେ ତାଙ୍କ ଭଉଣୀ ମଧ୍ୟ ସାଥୀରେ ଥିଲେ। ତେବେ ଚକୋଲେଟ ଚୋରି କରିବା ଅଭିଯୋଗରେ ଦୁଇ ଭଉଣୀଙ୍କୁ ଶପିଂ ମଲରୁ ବାହାର କରି ଦିଆଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଛାତ୍ରୀ ଜଣଙ୍କ ଚକୋଲେଟ ବାବଦରେ ଟଙ୍କା ଦେଇଥିଲେ ଓ ଷ୍ଟୋର କର୍ମଚାରୀଙ୍କୁ କ୍ଷମା ବି ମାଗିଥିଲେ।

ତେବେ ପୂରା ଘଟଣା ବେଳର ଦୃଶ୍ୟକୁ ମଲରେ ଥିବା କିଛି ଲୋକ ମୋବାଇଲରେ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଉକ୍ତ ଭିଡିଓ ଭାଇରାଲ ହେବାରୁ ଛାତ୍ରୀ ଜଣଙ୍କ ହତାଶ ହୋଇ ଜୀବନ ହାରିଥିବା ତାଙ୍କ ବାପା କହିଛନ୍ତି ।

ଛାତ୍ରୀଙ୍କ ଆତ୍ମହତ୍ୟା ପରେ ସ୍ଥାନୀୟ ଲୋକମାନେ ଶପିଂ ମଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭିଡିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।